ମିଳିଲା ଗୋଲଡେନ ବାବାର ୩ଶହ କୋଟି ଠକେଇର ସୁରାଗ ! ମୁମ୍ବାଇ, ଥାନେ, ଦିଲ୍ଲୀରେ ବି ବ୍ୟବସାୟୀଙ୍କୁ ଚୂନା ଲଗାଇଥିଲା ଠକ ମାଷ୍ଟର ।

160

କନକ ବ୍ୟୁରୋ : ଧୀରେ ଧୀରେ ଗୋଲଡେନ୍ ବାବାଙ୍କ ଗୁମର ଖୋଲିବାରେ ଲାଗିଛି । ରିମାଣ୍ଡରେ ଆଣି ଜେରା କରିବା ପରେ କ୍ରାଇମବ୍ରାଂଚକୁ ମିଳିଛି ବଡ଼ ତଥ୍ୟ । ଇଓଡବ୍ଲୁ ଜାଣିବାକୁ ପାଇଛି, ଦିଲ୍ଲୀ, ଥାନେ ଓ ମୁମ୍ବାଇରେ ମଧ୍ୟ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ଚୂନା ଲଗାଇଛି ଏହି ଫ୍ରଡ୍ ମାଷ୍ଟର । ପ୍ରାୟ ୩୦୦ କୋଟି ଟଙ୍କା ଫାଇନାନ୍ସ କରିବାର ଲୋଭ ଦେଖାଇ ଠକେଇର ନକ୍ସା ପ୍ରସ୍ତୁତ କରିଥିବା ସଂଦେହ କରାଯାଉଛି ।

ଫିଟିବାରେ ଲାଗିଛି ଗୋଲଡେନ୍ ବାବାର ଗୁମର । ଦିଲ୍ଲୀ ଓ ମୁମ୍ବାଇକୁ ଲମ୍ବିଛି ଠକେଇର ଚେର । ମାମଲା କ୍ରାଇମବ୍ରାଂଚ ହାତକୁ ଗଲା ପରେ ଗୋଲଡେନ୍ ବାବାକୁ ଦିନିକିଆ ରିମାଣ୍ଡରେ ନେଇଥିଲା ଇଓଡବ୍ଲ୍ୟୁ । ପଚରାଉଚରା ପରେ ଯେଉଁ ତଥ୍ୟ ମିଳିଲା, ତାହା ତାଜୁବ କରି ଦେଇଥିଲା ତଦନ୍ତକାରୀ ଅଧିକାରୀଙ୍କୁ  । କ୍ରାଇମବ୍ରାଂଚ ଜାଣିବାକୁ ପାଇଛି କେବଳ ଓଡ଼ିଶାରେ ନୁହେଁ ଦିଲ୍ଲୀ, ଥାନେ, ମୁମ୍ବାଇର ବ୍ୟବସାୟୀଙ୍କୁ ବି ଚୂନା ଲଗାଇଛି ଏହି ଠକ ମାଷ୍ଟର । 

ତେବେ ଠକେଇ ପାଇଁ ଷ୍ଟାଇଲ୍ ଥିଲା ଏକାପ୍ରକାରର । ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ଫାଇନାନ୍ସ କରିବା ପାଇଁ ଦେଖାଉଥିଲା ଲୋଭ । ସୁନା ଅଳଙ୍କାରରେ ଛାଉଣୀ ହୋଇ ବଡ଼ ଗାଡ଼ିରେ ଚଢ଼ି ବ୍ୟବସାୟୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା । ଏହା ସହ ୩୦୦ କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ଦେଉଥିବା ନେଇ ଜାଲ କାଗଜପତ୍ର ବନାଇ ଠକେଇର ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଥିଲା ଗୋଲଡେନ୍ ବାବା । 

ଇନକମ୍ ଟ୍ୟାକ୍ସର ଜାଲ କାଗଜପତ୍ର ଜବତ କରିବା ପରେ ଦିଲ୍ଲୀ, ମୁମ୍ବାଇ ଓ ଥାନେ ପୋଲିସ ସହ ଯୋଗାଯୋଗ କରୁଛି କ୍ରାଇମବ୍ରାଂଚ । ଅଧିକ ଖୋଳତାଡ଼ ପାଇଁ ଆଉ ଥରେ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରିଛି । କେନ୍ଦୁଝରର ଗୋଟିଏ କଂପାନୀକୁ ୧୧୦ କୋଟି ଫାଇନାନ୍ସ କରିବାର ପ୍ରତିଶ୍ରୁତି ଦେଇଥିଲା ଗୋଲଡେନ୍ ବାବା  । ୧୨ କୋଟିର ଆଡଭାନ୍ସ ଚେକର ତାରିଖ ବଦଳାଇ ଚଳୁ କରିବାକୁ ଉଦ୍ୟମ କରୁଥିବା ବେଳେ କମିସନରେଟ୍ ପୋଲିସ ହାତରେ ଧରାପଡିଥିଲା ଏହି ଫ୍ରଡ୍ ମାଷ୍ଟର । ସେପଟେ ନେତା ଓ ମନ୍ତ୍ରୀଙ୍କ ସହ ମିଶି ନେତା ବନିବାକୁ ମଧ୍ୟ ଉଦ୍ୟମ କରୁଥିଲା ଗୋଲଡେନ୍ ବାବା ।