ଲଗାତାର ଭାବେ ଖସିଚାଲିଛି ସୁନା ଦର : ୪ ମାସରେ ଶସ୍ତା ହେଲାଣି ୧୧ ହଜାର ଟଙ୍କା

କରୋନା ଭ୍ୟାକ୍ସିନ ଆସିବା ପରେ ସୁଧୁରୁଛି ବଜାର ଅବସ୍ଥା; ଅନ୍ୟ କ୍ଷେତ୍ରରେ ନିବେଶ ବଢୁଥିବାରୁ ଫିକା ପଡୁଛି ସୁନାର ଚମକ

2,176

କନକ ବ୍ୟୁରୋ : ଦେଶରେ ଦରଦାମ୍ ହୁ ହୁ ହୋଇ ବଢିଚାଲିଥିବା ବେଳେ ସୁନା ଦର କିନ୍ତୁ ଲଗାତର ଭାବେ ହ୍ରାସ ପାଉଛି । ଅକ୍ଟୋବର ଶେଷ ବେଳକୁ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା ସୁନା ଦର । ଏବେ ପାଖାପାଖି ୧୧ ହଜାର ଟଙ୍କା ଖସି ୪୪ ହଜାର ୮୦୦ ଟଙ୍କାରେ ପହଁଚିଛି । ଗତକାଲି ଅପେକ୍ଷା ଆଜି ଭିତରେ ଦିନକରେ ୭୦୦ ଟଙ୍କା ଶସ୍ତା ହୋଇଛି ସୁନା । ଅନ୍ତର୍ଜାତୀୟ ବଜାରରେ ଦର କମିବାର ପ୍ରଭାବ ଭାରତୀୟ ସୁନା ବଜାର ଉପରେ ପଡିଛି । ଲଗାତାର ୧୦ ଦିନ ଧରି ଖସୁଛି ସୁନା ରେଟ୍ ୧୦ ଗ୍ରାମ ପିଛା ମଙ୍ଗଳବାର ଥିଲା ୪୫ ହଜାର ୫୦୦ ଟଙ୍କା । ବୁଧବାର ୭୦୦ ଟଙ୍କା କମି ହୋଇଛି ୪୪ ହଜାର ୮୦୦ ଟଙ୍କା ।

୪ ମାସରେ ସୁନା ଦର କମିଲାଣି ୧୧, ୦୦୦ ଟଙ୍କା । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । କରୋନା ଟିକା ଆସିବା ପରେ ହ୍ରାସ ପାଉଛି ସୁନାଦର । କରୋନା ପ୍ରଭାବରେ ଭୁଷୁଡି ପଡିଥିବା ବଜାରରେ ସ୍ଥିରତା ଆସୁଛି । ଆମେରିକାର ବ୍ୟାଙ୍କଗୁଡିକ ବଢାଇଛନ୍ତି ଋଣ ଉପରେ ସୁଧହାର । ଫଳରେ ସୁନା ଉପରେ କମିଛି ନିବେଶ । ଗତ ନଭେମ୍ବରରେ ସୁନା ଦର ଥିଲା ୫୬,୦୦୦ ଟଙ୍କା, ଏବେ ୪୪,୮୦୦ । ଅକ୍ଷୟ ତୃତୀୟା ବେଳକୁ ଆହୁରି ଦୁଇ ତିନି ହଜାର ଟଙ୍କା କମିବା ସମ୍ଭାବନା ରହିଛି । ମୂଲ୍ୟହ୍ରାସ ଯୋଗୁଁ ଚାହିଦା ବଢିଲେ ପୁଣି ବଢିପାରେ ଦର । ତୈଳଦର ବୃଦ୍ଧି ଯୋଗୁଁ ଡଲାର ତୁଳନାରେ ମୁଦ୍ରା ଦୁର୍ବଳ ହେଉଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଯୋଗୁଁ ବଜାର ଅସ୍ଥିର ହେଲେ ପୁଣି ଦର ବଢିବ ବୋଲି ଅନୁମାନ କରାଯାଉଛି ।