ଗୋଆ କଂଗ୍ରେସରେ ଫାଟ। ଦୁଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲା କଂଗ୍ରେସ।

112

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏବେ ଗୋଆରେ ଦେଖାଦେଇଛି କଂଗ୍ରେସ କନ୍ଦଳ । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖିଛି ଗୋଆ କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଧାୟକ ଦିଗମ୍ବର କମତ ଏବଂ ମିଚେଲ ଲୋବୋଙ୍କ ବିଧାୟକ ପଦବୀ ରଦ୍ଦ କରିବାକୁ ଦାବି କରିଛି କଂଗ୍ରେସ । ପୂର୍ବରୁ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ମିଚେଲ ଲୋବୋଙ୍କୁ ନିଲମ୍ବିତ କରି କଂଗ୍ରେସ ଅଭିଯୋଗ ଆଣିଥିଲା ଯେ, ବିଜେପି ଟଙ୍କା ଦେଇ ଗୋଆ କଂଗ୍ରେସକୁ ଦୁଇ, ତିନି ଭାଗ କରିବାକୁ ଚେଷ୍ଟା କରୁଛି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଦିଗମ୍ବର କମତ, ଗୋଆ କଂଗ୍ରେସ ମୁଖ୍ୟ ଦିନେଶ ଗୁନଡୁ ତାଙ୍କୁ ଏବଂ ବିଧାୟକ ଲୋବୋଙ୍କୁ ବିଜେପି ସହ ମିଶି ଦଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗକୁ ନେଇ ସେ ଆଶ୍ଚର୍ଯ୍ୟ ବୋଲି କହିବାର କିଛି ସମୟ ପରେ ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଛି ଦଳ ।

ତିନି ବର୍ଷ ତଳେ ୨୦୧୯ରେ ଗୋଆ କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ହେଲେ ଦଳର ଦୁଇ ତୃତୀଆଂଶ ବିଧାୟକ ଏକାଠୀ ଦଳ ଛାଡିଥିବାରୁ ସେମାନଙ୍କ ବିଧାୟକ ପଦବୀ ରଦ୍ଦ କରିପାରିନଥିଲା କଂଗ୍ରେସ । ଯାହା ଏବେ ପୁଣି ଥରେ ହେବାକୁ ଯାଉଛି ।

ମହାରାଷ୍ଟ୍ର ଶିବସେନା ଭଳି ଗୋଆ କଂଗ୍ରେସ ପୁଣି ଥରେ ଦୁଇ ଭାଗ ହେବାର ଆଶଙ୍କା ଦେଖାଦେଇଛି । କଂଗ୍ରେସର ଥିବା ୧୧ ବିଧାୟକଙ୍କ ମଧ୍ୟରୁ ଦୁଇ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସହ ୬ ଜଣ ବିଧାୟକ ବିଦ୍ରୋହ ଆରମ୍ଭ କରିଦେଇଛନ୍ତିି । କିନ୍ତୁ ସେମାନଙ୍କ ବିଧାୟକ ପଦବୀ ବଞ୍ଚାଇବା ପାଇଁ ଦଳର ଦୁଇ ତୃତୀଆଂଶ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । କାରଣ ଆଇନ ଅନୁସାରେ ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ତିନି ଭାଗରୁ ଦୁଇ ଭାଗ ବିଧାୟକଙ୍କ ସମର୍ଥନ ରହିଲେ ସେମାନଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ । ଆଉ ସେମାନେ ବିଜେପିରେ ମିଶି ନିଜର ବିଧାୟକ ପଦବୀ ବଂଚାଇପାରିବେ । ଆଉ ବିଜେପି ସେହି ମୁହୁର୍ତକୁ ଅପେକ୍ଷା କରିଛି ଯେତେବେଳେ ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୮ ବିଧାୟକଙ୍କ ସମର୍ଥନ ରହିବ ।