ନୂଆ ମାଇଲଖୁଣ୍ଟ ଛୁଇଁବ ବିଶ୍ୱ ଜନସଂଖ୍ୟା : ଆଜି ୮୦୦ କୋଟି ଟପିବ ଜନସଂଖ୍ୟା; ଜାତିସଂଘ ମହାସଚିବଙ୍କ ସୂଚନା

181

କନକ ବ୍ୟୁରୋ : ବିଶ୍ୱରେ ଲଗାତର ଜନସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବଢୁଥିବା ଜନସଂଖ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନ ବା ୮୦୦ କୋଟି ଟପିବ । ଜାତିସଂଘ ମହାସିଚବ ଆଂଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି ।

ସୋମବାର ପ୍ରକାଶିତ ବାର୍ଷିକ ବିଶ୍ୱ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୨୦୨୩ ସୁଦ୍ଧା ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇ ଦେବ । ଅର୍ଥାତ୍ ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ । ଏହାର କାରଣ ହେଉଛି ଚୀନର ଏକ ସନ୍ତାନ ନୀତି । ଯାହା ୧୯୮୦ରୁ ଲାଗୁ ହୋଇଥିଲା । ୨୦୧୫ରେ ଶେଷ ହୋଇଛି । ହେଲେ ଏଠାରେ ଦମ୍ପତି ଏବେ ମଧ୍ୟ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିନ୍ତୁ ଚୀନ ସରକାର ସେମାନଙ୍କଠାରୁ ୩ ସନ୍ତାନ ଚାହୁଁଛନ୍ତି ।

ଜାତିସଂଘର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ପ୍ରାୟ ୮୫୦ କୋଟି, ୨୦୫୦ ସୁଦ୍ଧା ୯୭୦ କୋଟି ଏବଂ ୨୦୮୦ ସୁଦ୍ଧା ୧୦୪୦ କୋଟି ବୃଦ୍ଧି ପାଇପାରେ । ଏହାପରେ ଜନସଂଖ୍ୟା ସ୍ଥିରତା ଆସିପାରେ । ୨୧ ଶହ ମସିହା ଯାଏ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ମଧ୍ୟରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ । ଏହି ଦେଶ ମଧ୍ୟରେ ରହିଛି ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ ।