ନୃଶଂସ..ବର୍ବରୋଚିତ..ଅମାନୁଷିକ : କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ; ଏସ୍‌ସିବି ମେଡିକାଲରେ ଭର୍ତ୍ତି

170

କନକ ବ୍ୟୁରୋ : କଟକ ମାନସି˚ହପାଟଣାରେ ଏକ ଲୋମଟାଙ୍କୁରା, ବର୍ବର ଘଟଣା ସାମ୍‌ନାକୁ ଆସିଛି । ଖ୍ରୀଷ୍ଟ କଲେଜରେ ପଢ଼ୁଥିବା ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ଘର ଭିତରେ ହାତ,ଗୋଡ଼ ବାନ୍ଧି ନିଶା ଇଞ୍ଜେକ୍ସନ ଦେବା ସହିତ ତାଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଜଘନ୍ୟକାଣ୍ତରେ ୩ ଜଣ ଯୁବକ ଓ ଜଣେ ଯୁବତୀ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି । ଏମାନେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାରୁ କମିସନରେଟ୍‌ ପୁଲିସକୁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ଛାତ୍ରୀଙ୍କୁ ଗଲା ୧୫ ଦିନ ତଳେ ଜଣେ ଯୁବକ ଧମକ ଦେଇଥିଲା। ଏହି ଘଟଣା ସଂପର୍କରେ ସେତେବେଳେ ଛାତ୍ରୀଙ୍କ ପରିବାର ଲୋକ ଲାଲବାଗ ଥାନାରେ ସୂଚନା ଦେଇଥିଲେ । ଏଭଳି ଜଘନ୍ୟ ଘଟଣାରେ ଛାତ୍ରୀଙ୍କର ନିକଟ ସମ୍ପର୍କୀୟ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୁଲିସ ଏବେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।

ସୂଚନା ଅନୁଯାୟୀ, ଜଗତସି˚ହପୁର ଜିଲ୍ଲା ତିର୍ତ୍ତୋଲର ଜଣେ ଅଟୋ ଚାଳକ ତାଙ୍କ ସ୍ତ୍ରୀ, ବଡ଼ ଝିଅ ଓ ସାନ ପୁଅ ସହିତ ଲାଲବାଗ ଥାନା ଅନ୍ତର୍ଗତ ମାନସି˚ହପାଟଣାରେ ସୁଦର୍ଶନ ଜେଠୀଙ୍କ ଘରେ ଭଡ଼ା ନେଇ ରହୁଥିଲେ।

ଗଲା ପ୍ରାୟ ଦେଢ଼ ବର୍ଷ ହେବ ଏହି ପରିବାର ଦୁଇଟି ବଖରା ଭଡ଼ା ନେଇ ରହୁଥିଲେ। ଗୁରୁବାର ଦିନ ଏହି ଦମ୍ପତି ଦିନ ପ୍ରାୟ ୧୦ଟା ବେଳେ ମନ୍ଦିରକୁ ଯାଇଥିବାବେଳେ ଦଶମ ଶ୍ରେଣୀରେ ପଢ଼ୁଥିବା ସାନ ପୁଅ ସ୍କୁଲକୁ ଯାଇଥିଲା । ବଡ଼ ଝିଅ କଲେଜରୁ ଫେରି ଘରେ ଥିଲା। ସେହି ସମୟରେ ଘରେ ଅନ୍ୟ କେହି ନ ଥିବାବେଳେ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ତାଙ୍କ ଘରେ ପହଞ୍ଚିଥିଲେ । କବାଟ ଭାଙ୍ଗି ଘରେ ଧସେଇ ପଶିବା ସହିତ ଛାତ୍ରୀଙ୍କୁ କାବୁ କରି ନେଇ ତାଙ୍କ ଶରୀରରେ ନିଶା ଇଞ୍ଜେକ୍ସନ ଫୋଡ଼ି ଦେଇଥିଲେ । ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି ଦେବା ସହିତ ମୁହଁରେ ପଟି ବାନ୍ଧି ଦେଇଥିଲେ। ଛାତ୍ରୀଙ୍କ ଶରୀର ଓ ଘର ଭିତରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ଛାତ୍ରୀଙ୍କୁ ନିଶା ଧରିବା ପୂର୍ବରୁ ସେ ଜୀବନ ବିକଳରେ ତଳେ ଘୁଷୁରି ଘୁଷୁରି ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ। ନିଆଁ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ବ୍ୟାପିବା ସହିତ ବାହାରକୁ ଧୂଆଁ ଯିବାରୁ ଉପର ମହଲାରେ ରହୁଥିବା ଘର ମାଲିକ ସୁଦର୍ଶନ ପହଞ୍ଚି ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କୁ ଉଦ୍ଧାର କରି ସାମ୍‌ନାରେ ଥିବା ପଡେ଼ାଶୀ ମୃତ୍ୟୁଞ୍ଜୟ ଦାସଙ୍କ ଘରେ ବସାଇଥିଲେ । ସେତେବେଳକୁ ଛାତ୍ରୀଙ୍କ ମୁହଁ ଓ ଚୁଟି ପୋଡ଼ି ଯାଇଥିଲା । ତାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କେବଳ ଠାରରେ ଚାରି ଜଣ ଦୁର୍ବୃତ୍ତ ଆସି ଏଭଳି କାଣ୍ତ ଘଟାଇଥିବା କହିଥିଲେ । ଛାତ୍ରୀ ଜଣକ କଲେଜ ଡ୍ରେସ୍‌ ପିନ୍ଧିଥିବାରୁ କଲେଜରୁ ପହଞ୍ଚିବାର କିଛି ସମୟ ଭିତରେ ଦୁର୍ବୃତ୍ତମାନେ ଏଭଳି କାଣ୍ତ ଘଟାଇଥିବା ସନ୍ଦେହ କରାଯାଉଛି । ତାଙ୍କ ବେକକୁ ଦୁର୍ବୃତ୍ତ ଚାପିବାକୁ ଉଦ୍ୟମ କରିଥିବାବେଳେ ବେକରେ ଚିପା ହୋଇଥିବା ଦାଗ ରହି ଯାଇଥିଲା। ଛାତ୍ରୀଙ୍କୁ ଉଦ୍ଧାର କରିବାବେଳେ ସୁଦର୍ଶନଙ୍କ ମୁହଁରେ ବି ନିଆଁ ଧାସ ଲାଗିଯାଇଛି ।

ଲାଲବାଗ ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ପରିବାର ଲୋକେ ବଡ଼ ମେଡିକାଲ୍‌ରେ ପହଞ୍ଚିବା ସହିତ ଲାଲବାଗ ଥାନାରେ ଏତଲା ଦାୟର କରିଛନ୍ତି। ଅଗ୍ନିକାଣ୍ତ ସମ୍ପର୍କରେ ଖବର ପାଇ ବକ୍ସିବଜାରରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେତେବେଳକୁ ଦୁଇ ବଖରା ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ବୃତ୍ତମାନେ ଏଭଳି କାଣ୍ତ କିଭଳି ଘଟାଇଲେ, ତାହା ସମସ୍ତଙ୍କୁ ଚକିତ କରିଛି । ଲାଲବାଗ ଥାନା ପୁଲିସ ବ଼ଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୀଡ଼ିତାର ବୟାନ ରେକର୍ଡ କରାଯାଇଛି । ସାଇଣ୍ଟିଫିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ପହଞ୍ଚି ତନାଘନା ଚଳାଇଥିବା ସୂଚନା ମିଳିଛି। ଗଲା ୧୫ ଦିନ ତଳେ ସମ୍ପୃକ୍ତ ଛାତ୍ରୀଙ୍କ ଫଟୋ ଫେସବୁକରେ ଜଣେ ଯୁବକ ଭାଇରାଲ୍‌ କରିଥିଲା। ବିଭିନ୍ନ ସମୟରେ ଛାତ୍ରୀଙ୍କୁ ଧମକ ବି ମିଳୁଥିଲା । ଏ ସ˚କ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି ।

ସୁଦର୍ଶନଙ୍କ ସାନ ଭାଇ ନିରଞ୍ଜନ ଜେଠୀଙ୍କ କହିବା ଅନୁଯାୟୀ, ଝିଅ ସହିତ ପ୍ରେମଜନିତ ବିବାଦ ଥିଲା । ଗଲା ୧୫ ଦିନ ତଳେ ତାଙ୍କ ନିକଟକୁ କେହି ଅଶ୍ଲୀଳ ଭିଡିଓ ପଠାଉଥିଲେ । ଏ ସ˚କ୍ରାନ୍ତରେ ଝିଅଙ୍କ ବାପା ମା’ ଲାଲବାଗ ଥାନାରେ ଅଭିଯୋଗ ବି କରିଥିଲେ। ଅନ୍ୟପଟେ ଡିସିପି ପ୍ରତୀକ ସି˚ହ କହିଛନ୍ତି ଯେ ଘରେ କେହି ନ ଥିବାବେଳେ ଅଜଣା ଲୋକ ଘର ଭିତରେ ପଶି ନିଆଁ ଲଗାଇ ଦେଇଛନ୍ତି । ଯେଉଁ ୪ ଜଣ ଦୁର୍ବୃତ୍ତ ଏଭଳି କାଣ୍ତ ଘଟାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ଏମାନେ ମୁହଁ ଘୋଡ଼ାଇ ଏଭଳି କରିଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି ।