ଗିଲ୍ ନା ରାହୁଲ, ପ୍ରଥମ ଟେଷ୍ଟରେ କିଏ କରିବେ ଓପନିଂ: ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

208

କନକ ବ୍ୟୁରୋ: ଫେବୃଆରୀ ୯ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତ ପ୍ରସ୍ତୁତ ହେଉଛି । ଆଉ ସେପଟେ ଟିମ ଇଣ୍ଡିଆର ସ୍ପିନ ଆଟାକ ପାଇଁ ଅଷ୍ଟ୍ରେଲିଆ ଭୟରେ ରହିଛି । ହେଲେ ଭାରତ ପାଇଁ ଓପନିଂ ହେଉଛି ପ୍ରମୁଖ ଚିନ୍ତା । ଏବେ ଯାଏଁ ଟେଷ୍ଟ ସିରିଜରେ ରୋହିତଙ୍କ ସହ କେଏଲ ରାହୁଲ ଓପନିଂ କରି ଆସୁଥିଲେ । ହେଲେ ଶୁଭମନ ଗିଲ ଲଗାତାର ଭଲ ପ୍ରଦର୍ଶନ କରୁଥିବାରୁ ଏବେ ରାହୁଲଙ୍କ ଓପନିଂଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ନାଗପୁରରେ ଟିମ ଇଣ୍ଡିଆକୁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାର ଅଛି । ଟିମ ଇଣ୍ଡିଆ ଆଗରେ ଏହି ଚ୍ୟାଲେଞ୍ଜ ରହିଛି ଯେ ଆରମ୍ଭ ଅଷ୍ଟ୍ରେଲିଆ ଟିମ ଉପରେ ଚାପ ଜାରି ରଖିବା । ଆଉ ଅଷ୍ଟ୍ରେଲିଆକୁ ଜମାରୁ ସୁଯୋଗ ନଦେବା । ତେବେ ଏହାରି ଭିତରେ ନାଗପୁରରେ କେଉଁ ଓପନିଂ ଯୋଡିକୁ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା । ଯଦି ବର୍ତ୍ତମାନର ଫର୍ମ ଆଉ ଭବିଷ୍ୟତକୁ ଆଖି ଆଗରେ ରଖାଯାଏ ତେବେ ରୋହିତ ଶର୍ମାଙ୍କ ସହ ଗିଲ ଓପନିଂ କରିପାରନ୍ତି ।

ଅନ୍ତରାଷ୍ଟ୍ରିୟ କ୍ରିକେଟରେ କେଏଲ ରାହୁଲଙ୍କ ଗତ ୧୦ ମ୍ୟାଚକୁ ଦେଖିଲେ ତାଙ୍କ ବ୍ୟାଟରୁ ୨୮.୯୦ ଆଭରେଜରେ ୩୧୮ ରନ ବାହାରିଛି । ଯେଉଁଥିରେ ୩ ଅର୍ଦ୍ଧଶତକ ରହିଛି । ହେଲେ ସେପଟେ ଗିଲ ରନର ବର୍ଷା କରୁଛନ୍ତି ସେ ଚଳିତ ବର୍ଷ ୧୨ ମ୍ୟାଚରୁ ୭୬.୯୦ ଆଭରେଜରେ ୭୬୯ ରନ କରିଛନ୍ତି । ଯେଉଁଥିରେ ୧ ଦ୍ୱିଶତକ, ୪ ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ସାମିଲ ଅଛି ।