ଶବ ଭାସୁଥିଲା, କାହାର କିଛି ପତ୍ତା ମିଳୁନଥିଲା । ମହାବାତ୍ୟା ପରର ଦୃଶ୍ୟ ଆଖି ଓଦା କରିଥିଲା । ସଂସଦରେ ବିଦାୟକାଳୀନ ଭାଷଣରେ ଓଡିଶାର ମହାବାତ୍ୟାର କାହାଣୀ ବଖାଣିଲେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ।

249

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରେ ନିଜର ଶେଷ ଉଦବୋଧନ ରଖିଛନ୍ତି । ଏହି ବିଦାୟୀ ଅଭିଭାଷଣରେ ଆଜାଦ ମନଖୋଲି ନିଜ ଜୀବନର ଅନେକ ଅଭୁଲା ମୂହୁର୍ତ୍ତ ବଖାଣିଥିଲେ । ସେ ଜୀବନରେ ମାତ୍ର ୫ ଥର ଚିତ୍କାର କରି କାନ୍ଦିଥିବା କହିଥିଲେ । ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧିଙ୍କ ଅକାଳ ବିୟୋଗ, ୧୯୯୯ ମସିହାରେ ଓଡ଼ିଶାର ମହାବାତ୍ୟା ଓ ୨୦୦୫ ମସିହାରେ ଗୁଜୁରାଟରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ କାନ୍ଦିଥିଲେ ବୋଲି କହିଛନ୍ତି ।

ବିଦାୟୀ ଅଭିଭାଷଣରେ ଶ୍ରୀ ଆଜାଦ ୧୯୯୯ ଓଡ଼ିଶା ମହାବାତ୍ୟା ଓ ତତ୍କାଳୀନ ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇଥିଲେ । ସେ କହିଥିଲେ, ଓଡ଼ିଶାରେ ମହାବାତ୍ୟା ସମୟରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା । ସେତେବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମହାବାତ୍ୟା ବିଷୟରେ କହିବା ସହ ଓଡ଼ିଶା ଗସ୍ତ କରିବାକୁ କହିଥିଲେ । ନିର୍ଦ୍ଦେଶ ମୁତାବକ ଓଡ଼ିଶା ଗସ୍ତ କରିଥିଲି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲାବେଳକୁ ଲୁଲୁ ତାଙ୍କର ପ୍ରାୟ ୧ ହଜାର ଯୁବକର୍ମୀଙ୍କ ସହ ପହଞ୍ଚିଥିଲେ । ରାସ୍ତା ଉପରେ ଗଛ ପଡ଼ିବା ସହ ପାଣି ଭର୍ତ୍ତି ଥିବାରୁ ଚାଲିଚାଲି ଯିବାକୁ ପଡ଼ିବ ବୋଲି ଲୁଲୁ ସୂଚନା ଦେଇଥିଲେ । ପରେ ଆମେ ହଜାରେ ଯୁବକର୍ମୀଙ୍କ ସହ ରାସ୍ତା ଉପରେ ପଡ଼ିଥିବା ଗଛ ସଫା କରି ପ୍ରାୟ ୧୦/୧୨ କିଲୋମିଟର ଚାଲିଚାଲି ସୁମଦ୍ର ତଟ ଯାଏଁ ଯାଇଥିଲୁ । ତିନି ଦିନ ତିନି ରାତି ରାସ୍ତା ସଫା କରି ସମୁଦ୍ର ତଟରେ ପହଞ୍ଚିଲାବେଳକୁ ଯାହା ଦେଖିଲି, ତାହା ହୃଦୟ ବିଦାରକ ଥିଲା । ସମୁଦ୍ରକୂଳରେ ଶହ ଶହ ଶବ ଭାସୁଥିଲା; ଯାହାକୁ ଦେଖି ଚତୁର୍ଥ ଥର ପାଇଁ ଚିତ୍କାର କରି କାନ୍ଦିଥିଲି ବୋଲି ଶ୍ରୀ ଆଜାଦ କହିଛନ୍ତି ।