କଂଗ୍ରେସର ବିଦ୍ରୋହୀ ନେତାଙ୍କୁ ବାଦ୍? ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମନୀଷ ତିୱାରୀ ବାଦ୍ ।

208

କନକ ବ୍ୟୁରୋ: କଂଗ୍ରେସରେ ବିଦ୍ରୋହୀ ନେତାଙ୍କୁ ଅଣଦେଖା । କଂଗ୍ରେସ ଜି-୨୩ର ମଙ୍ଗୁଆଳ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମନୀଷ ତିୱାରୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି । ପ୍ରଥମ ଦ୍ରଫାରେ କଂଗ୍ରେସ ପଶ୍ଚିମବଙ୍ଗ ଓ ଆସାମ ପାଇଁ ଏହାକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏପରିକି ଭାରତୀୟ ନିର୍ବାଚନ କମିଶନଙ୍କୁ ଏହି ତାଲିକା ଦେଇସାରିଛି । ହେଲେ ଏଥିରେ ସ୍ଥାନ ପାଇନାହାନ୍ତି ଆଜାଦ, ଶର୍ମା ଓ ତିୱାରୀ ।

ତେବେ ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଯାଇଛି । ହେଲେ ଆନନ୍ଦ ଶର୍ମା ଏବେ ବି କଂଗ୍ରେସ ସାଂସଦ ତଥା ରାଜ୍ୟସଭାରେ ବିରୋଧୀ ଦଳ ଉପନେତା ରହିଛନ୍ତି । ସେହିପରୀ ମନୀଷ ତିୱାରୀ ଦଳର ମୁଖପାତ୍ର ଅଛନ୍ତି । ତେବେ ଏମାନଙ୍କୁ ବାଦ ଦେବା ପଛରେ ଏକ ଅଜବ ଯୁକ୍ତି ଦର୍ଶାଇଛି କଂଗ୍ରେସ । ଦଳ କହିଛି ରାଜ୍ୟ ୟୁନିଟର ଦାବି ଅନୁସାରେ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ହେଲେ କୁହାଯାଉଛି ଗାନ୍ଧୀ ପରିବାର ବିରୋଧରେ ସ୍ୱର ଉଠାଇଥିବାରୁ ଜି-୨୩ ଗୋଷ୍ଠୀର ଏହି ନେତାମାନଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।

ବର୍ଷବର୍ଷ ଧରି ଏମାନେ ଦଳର ନୀତି ନିର୍ଦ୍ଧରଣରୁ ଆରମ୍ଭ କରି ନିର୍ବାଚନ ପ୍ରଚାରରେ ଦଳର ଆଗଧାଡିର ଚେହେରା ହୋଇ ରହିଆସିଥିଲେ । ତଥାପି ଏମାନଙ୍କୁ ବାଦଦେବା ଦଳ ପାଇଁ କେତେ ଲାଭ ବା କ୍ଷତି ଆଣିଦେବ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଆକଳନ କରାଯାଉଛି ।