କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ଘଟଣାକୁ ନେଇ ଦିନକୁ ବିବାଦ ତେଜିବାରେ ଲାଗିଛି । ଆମେରିକା ପରେ ଏବେ ରାହୁଲଙ୍କ ସମର୍ଥନ ଆସି ମୁହଁ ଖୋଲିଛି ଜର୍ମାନୀ   । ଜର୍ମାନୀ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆନ୍ନାଲେନା ବେରବକ୍ ଟୁଇଟ କରି କହିଛନ୍ତି—ରାହୁଲଙ୍କ ସଦସ୍ୟତା ରଦ୍ଦ ଘଟଣା ସମ୍ବନ୍ଧରେ ଜର୍ମାନୀ ଅବଗତ ଅଛି । ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଉଚିତ । ପୂରା ଘଟଣା ଉପରେ ଜର୍ମାନୀ ନଜର ରଖିଛି । ରାହୁଲଙ୍କ ବିରୋଧରେ ଆସିଥିବା ରାୟ ବିରୋଧରେ କୋର୍ଟରେ ଆବେଦନ କରିବା ଦରକାର । ସେପଟେ ଜର୍ମାନୀର ଟିପ୍ପଣୀକୁ ସ୍ୱାଗତ ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ । ଟୁଇଟ କରି ଜର୍ମାନୀକୁ ସେ ଧନ୍ୟବାଦ ଜଣାଇଛନ୍ତି । ଯାହାକୁ ବିରୋଧ କରିବା ସହ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି ।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିଦେଶୀ ମିଡିଆ ଓ ନେତାଙ୍କ ବୟାନ ଲଗାତର ସାମ୍ନାକୁ ଆସୁଛି । ଏହାରି ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବା ପରେ ଆମେରିକା ମଧ୍ୟ ପ୍ରତିକ୍ର୍ରିୟା ରଖିସାରିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆଇନ୍ ଓ ନ୍ୟାୟିକ ସ୍ୱାଧୀନତାର ସମ୍ମାନ ଯେକୌଣସି ଗଣତନ୍ତ୍ରର ମୂଳ ଆଧାର । ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି ।

ରାହୁଲ ଦେଇଥିବା ବିବାଦୀୟ ବୟାନ, ପରେ କୋର୍ଟଙ୍କ ସଜ୍ଜା, ଲୋକସଭା ସଦସ୍ୟ ପଦ ରଦ୍ଦ । ଏହି ସବୁ ଘଟଣାକୁ ନେଇ କେବଳ ଦେଶରେ ବିରୋଧୀଙ୍କ ହଲ୍ଲାବୋଲ ଦେଖିବାକୁ ମିଳୁନି ବଂର ଜଣଙ୍କ ପରେ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟ ଟିପ୍ପଣୀ ଦେଉଛନ୍ତି । ଏହା ଭିତରେ ଭାରତ ସରକାର ଗୋଟିଏ କଥା ସ୍ପଷ୍ଟ କରିସାରିଛନ୍ତି । ପୂରା ଘଟଣା ଭାରତର ଆଭ୍ୟନ୍ତରୀଣ ଘଟଣା । ଏହା ଉପରେ କୌଣସି ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପକୁ ବର୍ଦାସ୍ତ କରାଯିବନି ।