କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ଘଟଣାକୁ ନେଇ ଦିନକୁ ବିବାଦ ତେଜିବାରେ ଲାଗିଛି । ଆମେରିକା ପରେ ଏବେ ରାହୁଲଙ୍କ ସମର୍ଥନ ଆସି ମୁହଁ ଖୋଲିଛି ଜର୍ମାନୀ । ଜର୍ମାନୀ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆନ୍ନାଲେନା ବେରବକ୍ ଟୁଇଟ କରି କହିଛନ୍ତି, ରାହୁଲଙ୍କ ସଦସ୍ୟତା ରଦ୍ଦ ଘଟଣା ସମ୍ବନ୍ଧରେ ଜର୍ମାନୀ ଅବଗତ ଅଛି । ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଉଚିତ । ପୂରା ଘଟଣା ଉପରେ ଜର୍ମାନୀ ନଜର ରଖିଛି । ରାହୁଲଙ୍କ ବିରୋଧରେ ଆସିଥିବା ରାୟ ବିରୋଧରେ କୋର୍ଟରେ ଆବେଦନ କରିବା ଦରକାର । ସେପଟେ ଜର୍ମାନୀର ଟିପ୍ପଣୀକୁ ସ୍ୱାଗତ ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ । ଟୁଇଟ କରି ଜର୍ମାନୀକୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବାକୁ ନେଇ ଆମେରିକା ମଧ୍ୟ ପ୍ରତିକ୍ର୍ରିୟା ରଖିସାରିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ ପୂର୍ବରୁ କହିଛନ୍ତି, ଆଇନ୍ ଓ ନ୍ୟାୟିକ ସ୍ୱାଧୀନତାର ସମ୍ମାନ ଯେକୌଣସି ଗଣତନ୍ତ୍ରର ମୂଳ ଆଧାର । ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି ।

Advertisment

ତେବେ ଏହି ପ୍ରସଙ୍ଗରେ ଭାରତ ସରକାର ଗୋଟିଏ କଥା ସ୍ପଷ୍ଟ କରିସାରିଛନ୍ତି । ପୂରା ଘଟଣା ଭାରତର ଆଭ୍ୟନ୍ତରୀଣ ଘଟଣା । ଏହା ଉପରେ କୌଣସି ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବନି । ରାହୁଲ ଗାନ୍ଧୀଙ୍କୁ ନେଇ ବେଦେଶୀ ରାଷ୍ଟ୍ରର ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ କିରଣ ରିଜିଜୁ ଟ୍ୱିଟ୍ କରି କଡା ଜବାବ ରଖିଛନ୍ତି । କିରଣ ରିଜିଜୁ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବିଦେଶୀ ରାଷ୍ଟ୍ରଗୁଡିକର ହସ୍ତାନ୍ତର ପାଇଁ ରାହୁଲ ଗାନ୍ଧୀଙ୍କୁ ଅନେକ ଅନେକ ଧନ୍ୟବାଦ । ମନେରଖ..ଭାରତର ଆଇନ ବ୍ୟବସ୍ଥା କୌଣସି ବିଦେଶ ଶକ୍ତି ଦ୍ୱାରା ପ୍ରଭାବିତ ନୁହେଁ । ଭାରତ ଏହାକୁ କେବେ ବରଦାସ୍ତ କରିବ ନାହିଁ । ସେହିପରି ଅନୁରାଗ ଠାକୁର କହିଛନ୍ତି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ବିଦେଶ ଦେଶ ମନ୍ତବ୍ୟ ଦେବା ନିନ୍ଦନୀୟ ଘଟଣା ।