ପଦ୍ମଶ୍ରୀ ସମ୍ମାନକୁ ବିନମ୍ରତାର ସହ ଅଗ୍ରାହ୍ୟ କଲେ ଗୀତା ମେହଟ୍ଟା ! ରାଜନୈତିକ ସମୀକ୍ଷକ କହିଲେ, ବିଜୁ ପଟ୍ଟନାୟକଙ୍କୁ ଦିଆଯାଉ ଭାରତ ରତ୍ନ ସମ୍ମାନ

361

କନକ ବ୍ୟୁରୋ: ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣାର ଖବର ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି, ଗୀତାଙ୍କ ପଦ୍ମଶ୍ରୀ ଗ୍ରହଣ କରିବା ପାଇଁ ମନା କରିବା ଖବର । ଆମେରିକାର ନ୍ୟୁୟର୍କରୁ ଗୀତା ଏକ ପ୍ରେସ ବିବୃତି ଜାରି କରି ଜଣାଇଛନ୍ତି-ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ପୁରସ୍କାର ଭୁଲ ବାର୍ତା ଦେବ । ଭଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ । ଏହାକୁ ନେଇ ସରଗରମ ହୋଇଛି ରାଜନୀତି ।

ପଦ୍ମଶ୍ରୀ ପୁରସ୍କାର ପାଇଁ ଭାରତ ସରକାର ମୋତେ ଯୋଗ୍ୟ ମନେ କରିଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେ କରୁଛି । କିନ୍ତୁ ଅତି ଅବଶୋଷ ସହ ମୁଁ ଏହାକୁ ଅଗ୍ରାହ୍ୟ କରୁଛି, କାରଣ ସାଧାରଣ ନିର୍ବାଚନ ପାଖେଇ ଆସୁଛି, ଏପରି ସମୟରେ ଏହି ପୁରସ୍କାର ହୁଏତ ଭୁଲ ବାର୍ତ୍ତା ଦେବ । ଉଭୟ ସରକାର ଓ ମୋ ପାଇଁ ଏହା ଅଡୁଆ ସ୍ଥିତି ସୃଷ୍ଟି କରିପାରେ ।’ ଏହା ନ୍ୟୁୟର୍କରୁ ଗୀତା ମେହେଟାଙ୍କ ପ୍ରେସ୍ ବିବୃତି । ପଦ୍ମଶ୍ରୀ ପୁରସ୍କାର ପାଇଁ କେନ୍ଦ୍ର ସରକାର ନାଁ ଘୋଷଣା କରିବା ପରେ ଏହାକୁ ବିନମ୍ରତାର ସହ ଆଗ୍ରାହ୍ୟ କରି ଏପରି ବିବୃତି ଜାରି କରିଛନ୍ତି ଗୀତା ମେହେଟା ।

୨୦୧୯ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯିବାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଆଉ ଯେତେବେଳେ ଗୀତା ଏହାକୁ ଆଗ୍ରାହ୍ୟ କଲେ, ଏହି ଚର୍ଚ୍ଚା ଆହୁରି ସରଗରମ ହୋଇଛି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ବିଜେପି କହୁଥିବା ବେଳେ ଏହି ବିବାଦରୁ ଦୂରେଇ ରହିଛି ବିଜେଡି । କିନ୍ତୁ ବିଜେପି-ବିଜେଡି ଭିତିରି ସଂପର୍କ କଥା ପୁଣି ଉଠାଇଛନ୍ତି କଂଗ୍ରେସ ନେତା ।

ଚର୍ଚ୍ଚା ହେଉଛି, ଆଗକୁ ନିର୍ବାଚନ ଥିବାରୁ ଏଥିରେ ରାଜନୀତିର ଗନ୍ଧ ବାରି ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି ଗୀତା । ସେପଟେ ବିଜୁବାବୁଙ୍କୁ ଭାରତ ରତ୍ନ ଦେଇଥିଲେ ବିବାଦ ହୋଇନଥାନ୍ତା ବୋଲି ମତ ଦେଇଛନ୍ତି ସମୀକ୍ଷକ । ଶିକ୍ଷା କ୍ଷେତ୍ରରେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯାଇଥାନ୍ତା । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜନୀତି ସରଗରମ ହୋଇଛି ।