ବିଜେପିରେ ଖୁବଶୀଘ୍ର ସାମିଲ ହୋଇପାରନ୍ତି ଗୌତମ ଗମ୍ଭୀର! ୨୦୧୯ରେ ଦିଲ୍ଲୀରୁ ଲଢିପାରନ୍ତି ନିର୍ବାଚନ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

41

ରାଜନୀତି ମୈଦାନରେ ଏଣ୍ଟ୍ରି ମାରି ପାରନ୍ତି କ୍ରିକେଟର ଗୌତମ ଗମ୍ଭୀର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ପାରନ୍ତି ଭାରତୀୟ ଦଳର ଓପନର ବ୍ୟାଟସମ୍ୟାନ ଗୌତମ ଗମ୍ଭୀର । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଗମ୍ଭୀର ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଦିଲ୍ଲୀରୁ ନିର୍ବାଚନ ଲଢି ପାରନ୍ତି ।

ଦିଲ୍ଲୀରେ ଦୀର୍ଘ ଦିନ ଧରି ସରକାରକୁ ଆସି ପାରିନାହିଁ ବିଜେପି । ତେଣୁ ଗମ୍ଭୀରଙ୍କ ଜରିଆରେ ବିଜେପି ସରକାରକୁ ଫେରିବାକୁ ଯୋଜନା କରିଛି । ତେବେ ଉଭୟ ଗମ୍ଭୀର ଓ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏବେ ଦିଲ୍ଲୀରେ କେଜ୍ରିୱାଲଙ୍କ ଆପ ସରକାର ଚାଲିଛି । ତେଣୁ ଏଭଳି ସ୍ଥିତିରେ ଗମ୍ଭୀରଙ୍କୁ ସାମ୍ନାକୁ ଆଣି ଆଗାମୀ ନିର୍ବାଚନରେ ବାଜି ମାରିବାକୁ ଯୋଜନା କରିଛି ବିଜେପି । ଏପରିକି ଅନେକ ସମୟରେ ଗମ୍ଭୀରଙ୍କୁ ବିଜେପି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି ।

ଦୁଇ ବର୍ଷ ଧରି ଅର୍ନ୍ତଜାତୀୟ କ୍ରିକେଟ ଖେଳିନଥିବା ଗମ୍ଭୀର ଏବେ ଦିଲ୍ଲୀ ରଣଜୀ ଟିମ୍ ପାଇଁ ଖେଳୁଛନ୍ତି । ୨୦୧୬ରେ ଶେଷ ଥର ପାଇଁ ଗମ୍ଭୀର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାପରେ ଗମ୍ଭୀରଙ୍କୁ ଆଉ ଭାରତୀୟ ଟିମରେ ଦେଖିବାକୁ ମିଳିନାହିଁ । ଏପରିକି ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକତ୍ୱ ଛାଡିବା ପରେ ଅନ୍ୟ କୌଣସି ମ୍ୟାଚ ଖେଳି ନାହାନ୍ତି ଗମ୍ଭୀର । ତେବେ ତାଙ୍କରି ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଦୁଇଥର ଆଇପିଏଲରେ ଚାମ୍ପିୟନ ହୋଇଛି ।

କ୍ରିକେଟ ମୈଦାନରୁ ରାଜନୀତି ମୈଦାନକୁ ଅନେକ କ୍ରିକେଟର ଲମ୍ଫ ମାରିଛନ୍ତି । କିଛି କ୍ରିକେଟରଙ୍କୁ ଭାଗ୍ୟ ସାଥ୍ ଦେଇଥିବା ବେଳେ କିଛି କ୍ରିକେଟର ରାଜନୀତିର ମୈଦାନରେ କ୍ଲିନ ବୋଲ୍ଡ ହୋଇଛନ୍ତି । ନବଜୋତ ସିଂ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ, କିର୍ତ୍ତୀ ଆଜାଦ, ମହମ୍ମଦ କୈଫ, ପ୍ରବୀଣ ଖାନଙ୍କ ଭଳି ଅନେକ କ୍ରିକେଟ ରାଜନୀତିରେ ସାମିଲ ହୋଇଛନ୍ତି ସତ କିନ୍ତୁ ଏମାନଙ୍କ ମଧ୍ୟରୁ ସିଦ୍ଧୁ, କୀର୍ତ୍ତି ଆଜାଦ ଓ ଆଝାରୁଦ୍ଦିନଙ୍କ ଭଳି କ୍ରିକେଟର ରାଜନୀତିରେ ସଫଳତା ଲାଭ କରିଛନ୍ତି । ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିବାର୍ଚନ ଲଢିଥିଲେ କ୍ରିକେଟର ମହମ୍ମଦ କୈଫ୍ । କିନ୍ତୁ ରାଜନୀତିର ପଶାପାଲିରେ ମାତ୍ ଖାଇବା ପରେ ସମ୍ପୂର୍ଣ୍ଣ ଭାବେ ରାଜନୀତିକୁ ବାଏ ବାଏ କରିଥିଲେ କୈଫ ।