୧୫ ବର୍ଷ ପରେ କ୍ରିକେଟ୍ ଜଗତକୁ ଅଲବିଦା ଜଣାଇଲେ ଗୌତମ ଗମ୍ଭୀର ! ସବୁ ଫର୍ମାଟରୁ ନେଲେ ଅବସର ।

598

କନକ ବ୍ୟୁରୋ : କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀର । ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ନେଇଛନ୍ତି ଏହି ୩୭ ବର୍ଷିୟ ଦିଲ୍ଲୀ କ୍ରିକେଟର । ନିଜ ଟ୍ୱିଟରରେ ସେ ସନ୍ୟାସ ନେଇ ଘୋଷଣା କରିଛନ୍ତି ।  ୨୦୧୬ ମସିହାରେ ଶେଷ ଥର ପାଇଁ ଇଂଲଣ୍ଡ ବିରୋଧରେ ରାଜକୋଟରେ ଟେଷ୍ଟ ଖେଳିଥିଲେ ଗମ୍ଭୀର । ନିଜ ଅନ୍ତର୍ଜାତୀୟ  କ୍ୟାରିଅରରେ ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ମ୍ୟାଚ ଖେଳି ୪୧.୫୪ ହାରରେ ମୋଟ ୪୧୫୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି ।

ଅନ୍ୟପଟେ ୧୪୭ଟି ଦିନିକିଆ ମ୍ୟାଚରେ ୩୯.୬୮ ହାରରେ ୫୨୩୮ ରନ ସଂଗ୍ରହ କରିଛନ୍ତି ଗମ୍ଭୀର । ସେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚରେ । ଏଥିରେ ସେ ଦମଦାର ୯୭ ରନ ସଂଗ୍ରହ କରିଥିଲେ । ଫଳରେ ଦୀର୍ଘ ୨୮ ବର୍ଷ ପରେ ପୁଣି ଥରେ ବିଶ୍ୱ ବିଜୟୀ ହୋଇପାରିଥିଲା ଟିମ୍ ଇଣ୍ଡିଆ । ଦିନିକିଆରେ ଗୌତମ ୧୧ଟି ଶତକୀୟ ପାଳି ଏବଂ ୩୪ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଅନ୍ତର୍ଜାତୀୟ ଟି-୨୦ ମୁକାବିଲାରେ ସେ ୩୭ ମ୍ୟାଚରେ ୭ଟି ଅର୍ଧଶତକ ସହ ୯୩୨ ରନ ସଂଗ୍ରହ କରିଛନ୍ତି । ସେହିପରି ୨୦୦୭ ଟି-୨୦ ବିଶ୍ୱକପରେ ଗୌତମ ଗମ୍ଭୀର ଚମତ୍କାର ୭୫ ରନ ସଂଗ୍ରହ କରିବା ସହ ଟିମ୍ ଇଣ୍ଡିଆକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନ୍ୟପଟେ ଆଇପିଏଲରେ ସେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଭାବେ ୨୦୧୨ ଓ ୨୦୧୪ରେ ଦୁଇ ଥର ଦଳକୁ ଚାମ୍ପିଅନ କରାଇଥିଲେ । ଆସନ୍ତା ୬ ତାରିଖରେ ଆନ୍ଧ୍ର ବିରୋଧରେ ଦିଲ୍ଲୀ ଖେଳିବାକୁ ଥିବା ରଣଜୀ ମ୍ୟାଚ ତାଙ୍କ କ୍ୟାରିଅରର ଶେଷ ମ୍ୟାଚ ହେବ ।