ଟ୍ରକରେ ଲୁଚାଇ ନେଉଥିଲେ ୬୪୭ କିଲୋ ଗଞ୍ଜେଇ, କୋରାପୁଟରେ ଧରିଲା ପୋଲିସ ।

118

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ ପୂର୍ବସୂଚନା ମୁତାବକ ପାତ୍ରପୁଟ ଠାରେ ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ଲକିଂ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ କଣ୍ଟେନରରୁ ୬୪୭କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୟପୁର ସଦରଥାନା ଆଇଆଇସି ଇଶ୍ବର ତାଣ୍ଡିଙ୍କ ନିର୍ଦେଶରେ ପାତ୍ରପୁଟ ଠାରେ ଜାତୀୟ ରାଜପଥ ୩୨୬କୁ ବ୍ଲକିଂ କରି ଯାନ ବାହନକୁ ଯାଞ୍ଚ କରୁଥିଲେ ପୋଲିସ। ମାଲକାନଗିରି ପଟୁ ଆସୁଥିବା କଣ୍ଟେନର ଟ୍ରକର କାଗଜପତ୍ର ଯାଞ୍ଚ କରିବା ସହ କଣ୍ଟେନରର କବାଟ ଖୋଲିବା ସମୟରେ ସେଥିରେ ୫୦ରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଡ୍ରମ, ୨ଟି ଧଳା ପାଣି ଟ୍ୟାଙ୍କ ରହିଥିଲା। ଏହାକୁ ଦେଖିବା ପରେ ପୁଲିସକୁ ସନ୍ଦେହ ପ୍ରକାଶ ପାଇଥିଲା। ଗାଡିରେ ୪ଜଣ ରହିଥିବା ବେଳେ ସେମାନଙ୍କର କଥାର ତାଳମେଳ ରହୁନଥିଲା। ପରେ ପୁଲିସ କଣ୍ଟେନର ଯାଞ୍ଚ କରିବାରେ ସେଥିରେ ୬୪୭କିଲୋ ଗଞ୍ଜେଇ ରହିଥିବା ଦେଖିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ଜବତ କରିଥିଲା। ଅଭିଯୁକ୍ତମାନେ ଆନ୍ଧ୍ର ସୀମାନ୍ତ ମାଲକାନଗିର ଅଞ୍ଚଳରୁ ଏହି ଗଞ୍ଜେଇକୁ ରାଜସ୍ଥାନ ନେଉଥିବା ସ୍ବୀକାର କରିଥିବା କହିଛନ୍ତି ଏସଡିପିଓ ଅରୁଫ ଅଭିଷେକ ବେହେରା ଓ ସଦରଥାନା ଆଇଆଇସି।

ଏହି ଚାଳାଣରେ ଟ୍ରକର ମାଲିକ ରାଜସ୍ଥାନର ଝୁନଝୁନ୍ ଜିଲ୍ଲା ଅର୍ନ୍ତଗତ ପିଲାନି ଥାନାର ମହେନ୍ଦ୍ର ସିଂହ, ବିହାର ବକ୍ସର ଜିଲ୍ଲାର ରିହାନର କ୍ରିଷ୍ଣା କୁମାର, ବୋଇନାଥ ରାମ ଓ ସିୱାନ ଜିଲ୍ଲା ଗୋଡିଆକୋଟି ଥାନା ଅଞ୍ଚଳର ସମିମ୍ ଅହମ୍ମଦଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ୬୪ଲକ୍ଷ ୭୦ହଜାର ଟଙ୍କାର ଗଞ୍ଜେଇ, ୧୦ଲକ୍ଷ ଟଙ୍କାର କଣ୍ଟେନର ଟ୍ରକ ଓ ୨୦ହଜାର ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଥିବା ଏସଡିପିଓ ଓ ଥାନା ଆଇଆଇସି ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ବିଶାଖାପାଟଣାରେ ମିଶିବା ପରେ ସେଠାରୁ ମାଲାକାନଗିରି ଯାଇ ଗଞ୍ଜେଇ ନେଇ ରାଜସ୍ଥାନ ଯିବାର ଯୋଜନା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଜୟପୁର ସଦରଥାନା ପୁଲିସ ନିୟମିତ ଭାବେ ଗଞ୍ଜେଇ ଚାଳାଣକାରୀଙ୍କୁ ଧରିବା ସହ ବ୍ୟାପକ ଗଞ୍ଜେଇ ଜବତ କରି ଆସୁଥିଲେ। ଅଚାନକ ଭାବେ ତାହା ଧିମା ପଡ଼ି ଯାଇଥିଲା। ଗତ କିଛି ମାସ ହେବ ଗଞ୍ଜେଇ ଚାଲାଣକାରୀ କେହି ଧରା ପଡ଼ିନଥିବା ବେଳେ ଆଜି ପୁଣି ସଦରଥାନା ପୁଲିସ ଧରିଛି।