କଟକ ଏସସିବି ମେଡିକାଲରୁ କେମିତି ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର ହାଇଦର ? ଏନକାଉଣ୍ଟର ପରେ ଲୁଚିଯିବ କି ଫେରାର ପଛର ରହସ୍ୟ ?

215

କନକ ବ୍ୟୁରୋ: ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଗାଙ୍ଗଷ୍ଟର ସେକ୍ ହାଇଦରର ଆଜି ଶବ ବ୍ୟବଛେଦ କରାଯିବ । ବ୍ୟବଛେଦ ପରେ ହାଇଦରର ମୃତଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାଇଦରର ମୃତ୍ୟୁ ସହିତ ଲୁଚିଯିବ କି କଟକ ଏସସିବିରୁ ତା ଫେରାର ହେବା ପଛର ରହସ୍ୟ ?

ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସସିବି ମେଡିକାଲରୁ ଫେରାର ହେବା ଘଟଣାରେ ତାର ସଂପର୍କୀୟ ଓ ୨ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି କିନ୍ତୁ ପ୍ରଶ୍ନ ଉଠୁଛି, ହାଇଦର ଫେରାର ହେବା ପଛରେ କଣ କେବଳ ଏହିମାନେ ହିଁ ସଂପୃକ୍ତ ଥିଲେ ? ହାଇଡ୍ରୋସିଲ ଅପରେସନ ପାଇଁ ହାଇଦର ସମ୍ବଲପୁର ଜେଲରୁ କଟକ ଏସସିବି ମେଡିକାଲ ଆସିଥିଲା । ଏଠାରେ ଏତେ ଲମ୍ବା ସମୟ ରହିବା ସହିତ ତାକୁ ଏସି କ୍ୟାବିନ ମିଳିଥିଲା । ସେହିପରି ତାକୁ ବିନା ହ୍ୟାଣ୍ଡକପରେ ରଖାଯାଇଥିଲା । ତେଣୁ କେଉଁ ବଡ ଅଧିକାରୀଙ୍କ ଇସାରାରେ ଏସବୁ ସମ୍ଭବ ହେଉଥିଲା, ତାହା ଏବେ ରହସ୍ୟରେ ରହିଯିବା ଆଶଙ୍କା କରାଯାଉଛି । ତେଣୁ ସାଧାରଣରେ ଚର୍ଚ୍ଚା ହେଉଛି ହାଇଦର ମୁହଁ ଖୋଲିବା ପୂର୍ବରୁ ତାକୁ ଚୁପ କରାଇଦିଆଗଲା କି ?