ଏନକାଉଂଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ଉପରେ ପୁଲିସର କଡା ନଜର : ମ୍ୟୁନିସିପାଲଟି ଅଂଚଳ ଓ ୪ଟି ପଂଚାୟତରେ ବଳବତ୍ତର ରହିଛି ୧୪୪ ଧାରା

150

କନକ ବ୍ୟୁରୋ : ଏନକାଉଂଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ଉପରେ ପୁଲିସର କଡା ନଜର ରହିଛି । କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ୧୪୪ ଧାରା ଲାଗୁ ହୋଇଛି ।

ଏହି କଟକଣା ୨୪ ତାରିଖ ରାତି ୧୧ଟାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । କେନ୍ଦ୍ରାପଡ଼ା ସହରରେ ଦୋକାନ ବଜାର ବନ୍ଦ ରହିଛି । ପାଲିସ ବିଭିନ୍ନ ଛକରେ ପାଟ୍ରୋଲିଂ କରୁଥିବା ବେଳେ କେବଳ ଜରୁରୀ କାମରେ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଉଛି । ସହରର ଲୋକେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।

ସେପଟେ, ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର ଦେଇଛନ୍ତି । ଏଥିରେ ଲେଖା ଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ ।

ଆଉ ଏହାର ସୁଯୋଗ ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେଇ ପୋଲିସ ଆଡକୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଦର । ପୂର୍ବରୁ ଥରେ ଫେରାର ହୋଇଥିବାବେଳେ ପୋଲିସ ତାକୁ ହାଇଦ୍ରାବାଦରୁ ଧରିବାରେ ସମର୍ଥ ହୋଇଥିବା କଥା କହିଥିଲା । କିନ୍ତୁ ଏଥର ଖସିଗଲେ ଆଉକେହି ଧରିପାରିବେନି ବୋଲି କହିଥିଲା ହାଇଦର । ଏପରିକି ତାକୁ ଧରିବା ପାଇଁ କେହି ଆଗକୁ ବଢିଲେ ଗୁଳି କରିଦେବ ବୋଲି ଧମକ ଦେଇଥିଲା ।

ତେଣୁ ସେ ଓ ପୋଲିସ ଏସଆଇ ଅସିତ ଜେନା ତାକୁ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ହେଲେ ସେ ଏସକର୍ଟ ପାର୍ଟି ଉପରକୁ ଗୁଳି କରିବାକୁ ଉଦ୍ୟମ କରିବାରୁ ତାକୁ ନିଜ ସର୍ଭିସ ରିଭଲଭରରୁ ୩ ରାଉଣ୍ଡ ଗୁଳି କରିଥିଲେ ଏସଆଇ ଏସିତ ଜେନା । ଏସକର୍ଟ ପାର୍ଟିର ଜୀବନ ବଂଚାଇବାକୁ ଏହି ଗୁଳି କରାଯାଇଥିବା ଏଫଆଇରରେ ଉଲ୍ଲେଖ ରହିଛି ।