ଆଇଆଇସି ମୃତ୍ୟୁ ମାମଲାରେ ନ୍ୟାୟ ମିଳିବା ନେଇ ଦେଖାଦେଲା ଆଶା । ହାଇକୋର୍ଟରେ ପହଁଚିଲା ମାମଲା ।

ଆଇଆଇସି ମୃତ୍ୟୁ ମାମଲା, ଜନସ୍ୱାର୍ଥ ମାମଲା ଗ୍ରହଣ କଲେ ହାଇକୋର୍ଟ

102

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ଦେବକୁମାର ଗମାଙ୍ଗ ମୃତ୍ୟୁକୁ ନେଇ ସନ୍ଦେହ ଭିତରେ ମାମଲା ଏବେ ହାଇକୋର୍ଟରେ ପହଁଚିଛି । ମାମଲାର ସିବିଆଇ ତଦନ୍ତ ସହ ସନ୍ଦେହରେ ଥିବା ଭଞ୍ଜନଗର ଏସଡିପିଓ ଓ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ, ଦାବି କରି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଉ ଏହି ଆବେଦନକୁ କୋର୍ଟ ଗ୍ରହଣ ମଧ୍ୟ କରିଛନ୍ତି । ତେବେ କୋର୍ଟ ମାମଲାରେ ହସ୍ତକ୍ଷେପ କଲେ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଆବେଦନକାରୀ ।

  • ହାଇକୋର୍ଟରେ ପହଁଞ୍ଚିଲା ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା
  • ଏସଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି

ଭଞ୍ଜନଗର ଏସଡିପିଓ ଶୁୁଭ୍ରାଂଶୁ ଶେଖର ମିଶ୍ର ଓ ଭଞ୍ଜନଗର ଆଇଆଇସି ଧିରେଶ କୁମାର ଦାସଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । କାରଣ ଏହି ଦୁଇ ଜଣ ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ସମୟରେ ସେଠାରେ ଉପସ୍ଥିତ ଥିଲେ । ଏବଂ ସେମାନଙ୍କ ଉପସ୍ଥିତିରେ ହିଁ ଗୁଳି ଫୁଟିଥିଲା ।

  • ସିବିଆଇ ତଦନ୍ତ ପାଇଁ ଆବେଦନରେ ଦାବି
  • ‘ପରିବାରକୁ ଦିଆଯାଉ କ୍ଷତିପୂରଣ’

ଆଇଆଇସି ଗମାଙ୍ଗ ମୃତ୍ୟୁ ହେବାକୁ ଏହା ଭିତରେ ୧୦ ଦିନ ବିତି ଯାଇଥିଲେ ବି ତଦନ୍ତ କେତେ ବାଟ ଆଗେଇଲା, ତାହା କାହାକୁ ଜଣା ନାହିଁ । ଏଚଆରପିସିର ଅଧିକାରୀ ଓ ଜଣେ ଅତିରିକ୍ତ ଏସପି ର୍ୟାଙ୍କର ଅଧିକାରୀ ଏହାର ତଦନ୍ତ କରୁଥିବାବେଳେ, ସନ୍ଦେହରେ ଥିବା ପୁଲିସ ଅଧିକାରୀ ମଧ୍ୟ ସେମାନଙ୍କ ସହ ମିଶି ଅଛନ୍ତି । ତେଣୁ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବାକୁ ଦାବି ହେଉଛି । ତେବେ ମାମଲାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ମାମଲା କୋର୍ଟ ପହଁଚି ଯାଇଥିବାରୁ ଏବେ ମୃତ ଆଇଆଇସିଙ୍କ ପରିବାରକୁ ନ୍ୟାୟ ମିଳିବାର ଆଶା ଦେଖା ଦେଇଛି ।