ସଂକ୍ରମଣ ରୋକିବା ପାଇଁ ନିଆଗଲା ପଦକ୍ଷେପ । ଟ୍ୱିନସିଟି ସମେତ ଗଂଜାମ, ଗଜପତି, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ଗଶେଶ ପୂଜା ଉପରେ କଟକଣା ଲଗାଇଲେ ପ୍ରଶାସନ ।

315

କନକ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଟ୍ୱିନ୍ ସିଟି ଗଣେଶ ପୂଜା ମାମଲା । କଟକରେ ଗଣେଶ ପୂଜା କରିବା ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି କଟକ ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର କୁମାର ହାତି । ପୂଜା ବନ୍ଦ କରିବା ପାଇଁ ପ୍ରଶାସନ ଦେଇଥିବା ନିର୍ଦେଶନାମାକୁ ଚ୍ୟାଲେଂଜ କରି କରୋନା କଟକଣା ସହ ପୂଜା କରାଇବା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି ଆବେଦନକାରୀଙ୍କ ଓକିଲ ବିଭୂତି ଭୂଷଣ ଚୌଧୁରୀ । । ଆବେଦନକାରୀଙ୍କ ମତରେ ପୂଜା ପାର୍ବଣ ଓ ପରମ୍ପରା ପାଳନ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ହେଉଛି । ତେଣୁ କରୋନା କଟକଣା ଭିତରେ କଟକର ୧୭ଟି ସ୍ଥାନରେ ବୁଢା ଗଣେଶ ପୂଜା କରାଇବା ସହ ସାର୍ବଜନନୀନ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ଆଇନଜୀବୀ ।

ସେପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ, ଭୁବନେଶ୍ହର ସମେତ ବିଭିନ୍ନ ଜିଲ୍ଲାରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ଗଂଜାମ ଜିଲ୍ଲାରେ ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି ଓ ଜଗତସିଂହପୁର, ଗଂଜାମରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି ।