କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍ ପାଇଁ ଆଉ ମାତ୍ର କିଛି ସମୟର ଅପେକ୍ଷା । ପୂରା ବିଶ୍ୱର କ୍ରିକେଟପ୍ରେମୀ ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି । ଏପରିକି ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରୁ ଏଥିପାଇଁ କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ତେବେ ଏହି ମ୍ୟାଚ୍ ପୂର୍ବରୁ ବିଶ୍ୱବିଜେତା ଦଳର ସଦସ୍ୟ ତଥା ପୂର୍ବତନ ଭାରତୀୟ ଖେଳାଳୀ ଗୌତମ ଗମ୍ଭୀର ବଡ ବୟାନ ଦେଇଛନ୍ତି । ଗମ୍ଭୀର କହିଛନ୍ତି, କୌଣସି ଖେଳାଳୀଙ୍କୁ ହିରୋ କରି ସେମାନଙ୍କ ପୂଜା କରିବା ଲୋକେ ବନ୍ଦ କରିବା ଆବଶ୍ୟକ ।

Advertisment

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚକୁ ନେଇ ଗମ୍ଭୀର ଏକ ସାକ୍ଷାତକାରରେ କହିଛନ୍ତି, କ୍ରିକେଟପ୍ରେମୀ ମାନେ ପୂରା ଟିମ୍ ଇଣ୍ଡିଆକୁ ସମର୍ଥନ କରିବାର ଆବଶ୍ୟକତା ରହିଛି କୌଣସି ନିର୍ଦ୍ଦିଷ୍ଟ ଖେଳାଳୀଙ୍କୁ ନୁହେଁ । କିନ୍ତୁ ମିଡିଆରେ ଏମିତି ହିଁ ଚାଲିଛି । ଗଣମାଧ୍ୟମ ହିଁ ଖେଳାଳୀଙ୍କୁ ବ୍ରାଣ୍ଡ ଭାବେ ସାମ୍ନାକୁ ଆଣୁଛି । ସୂର୍ଯ୍ୟକୁମାର ଯାଦବ ଗତ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସମସ୍ତଙ୍କର ନଜର ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ଉପରେ ରହିଛି । କାରଣ ସୂର୍ଯ୍ୟକୁମାରଙ୍କ ଫଲୋଅର୍ସ ରୋହିତ ଓ ବିରାଟଙ୍କ ଠାରୁ ଯଥେଷ୍ଟ କମ ରହିଛି । ତେଣୁ ଖେଳାଳୀଙ୍କୁ ହିରୋ ଭାବେ ଚିତ୍ରଣ କରି ସେମାନଙ୍କ ପୂଜା ବନ୍ଦ କରିବା ଆବଶ୍ୟକ । ପ୍ରଦର୍ଶନ ଆଧାରରେ ଯଦି ଦେଖିବେ ତେବେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଭାରତୀୟ ଟିମର ସର୍ବଶ୍ରେଷ୍ଠ ଖେଳାଳୀ ।