କନକ ବ୍ୟୁରୋ : ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଗଜ ଲକ୍ଷ୍ମୀପୂଜା । ପବିତ୍ର କୁମାର ପୂର୍ଣ୍ଣମୀ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି । ସହରର ୩୮ଟି ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା’ । ପୂଜାମଣ୍ଡପରେ ଧନଦାତ୍ରୀଙ୍କ ପ୍ରତିମା ପ୍ରତୀୟମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପୁରୋହିତଙ୍କ ମନ୍ତ୍ରପାଠରେ ଢେଙ୍କାନାଳ ସହର ଉତ୍ସବ ମୁଖରିତ ହୋଇଉଠିଛି । ମା’ଙ୍କ ଆଗମନରେ ସହରର ପ୍ରକାମ୍ପତି ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ପ୍ରଥମ ଦିନରୁ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ମାଳାକୁ ସୁନ୍ଦର ସୁଉଚ ତୋରଣ ସହରର ରୂପ ବଦଳାଇ ଦେଇଛି । ମଉଡମଣୀ ଆଖ୍ୟା ବିଭୂଷିତ ମିନା ବଜ଼ାରରେ ସର୍ବ ପ୍ରଥମେ ପୂଜାବିଧି ଆରମ୍ଭ ହେବା ପରେ ପରେ ଅନ୍ୟ ମଣ୍ଡପରେ ପୂଜା ଆରମ୍ଭ ହୋଇଥିଲା । ଜୀବ ଦାନ ଓ ଚକ୍ଷୁ ଦାନ ନୀତି କାନ୍ତି ରାତି ୧୨ ସୁଦ୍ଧା ଶେଷ ହୋଇଥିଲା । ସେହିପରି ଭୋର ୫ଟାରେ ମା’ଙ୍କ ମଙ୍ଗଳ ଆଳତି ଓ ମୁଖ ପଖାଳ ଏବଂ ସ୍ନାନଶୁଦ୍ଧି କର୍ମ ହୋଇଛି । ଏହାପରେ ସକାଳ ୭ଟା ରେ ସକାଳ ଧୂପ ଓ ଆଳତି କର୍ମ ହେବ । ଏହା ପରେ ୯ ଟା ଠାରୁ ଲଷ୍ମୀ ପୂରଣ ପାଠ ଓ ହୋମ ଯଜ୍ଞ ହେବ ।
ଦିନ ୧୨ ଟା ରୁ ୧ଟା ଭିତରେ ଅନ୍ନ ଭୋଗ ଲାଗି ହେବ । ମାଙ୍କ ବିଶ୍ରାମ ପରେ ପୁଣି ୪ଟା ପର ଠାରୁ ପୂଜା କାର୍ଯ୍ୟ ରାତି ୯ ଟା ଯାଏ ଲାଗି ରହିବ । ଭକ୍ତମାନେ ଦୁଇ ବର୍ଷ ପରେ ମାଙ୍କ ଭବ୍ୟ ରୂପ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଏଥର ଲକ୍ଷଧିକ ଜନ ସମାଗମକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ଓ ଟ୍ରାଫିକ ଯାନବାହାନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
Follow Us