ଚାଲିଗଲା ‘ଗାଜା’, ଉଜାଡିଦେଇଗଲା ସଂସାର ! ଦାଉ ସାଜିଲା ଘୂର୍ଣ୍ଣିଝଡ ।

114

କନକ ବ୍ୟୁରୋ : ଘୂର୍ଣ୍ଣିଝଡ ଗାଜା ତାମିଲନାଡୁ ଉପକୂଳ ଗତି କରି ଯାଇସାରିଛି କିନ୍ତୁ ତା ପ୍ରଭାବରେ ଉଜୁଡିଯାଇଛି ପ୍ରଭାବିତଙ୍କ ସଂସାର । ଗାଜା ଯୋଗୁଁ ରାଜ୍ୟରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ନିଜ ଜୀବନଯାତ୍ରାଙ୍କୁ ସ୍ୱାଭାବିକ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବିପନ୍ନ । 

ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିଝଡ ଗାଜା ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଉଜୁଡିଯାଇଛି ବିପନ୍ନଙ୍କ ସଂସାର । ଚାଳ ଛପର ଘର କରି ରହୁଥିବା ଲୋକଙ୍କ ମୁଣ୍ଡ ଉପରୁ ଉଭେଇ ଯାଇଛି ଛାତ । ୧୨୦କିଲୋମିଟର ପ୍ରତି ଘଂଟା ବେଗରେ ହୋଇଥିବା ପବନ ଓ ପ୍ରବଳ ବର୍ଷାରେ ଘର ଭାଙ୍ଗିିଯିବା ସହ ବଡ ବଡ ଗଛ ଉପୁଡି ପଡିଛି । ଭାଙ୍ଗିଯାଇଥିବା ଘରକୁ ସଜାଡି ପୁଣି ଥରେ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କ୍ଷତିଗ୍ରସ୍ତ ପ୍ରୟାସ ଆରମ୍ଭ କରିଛନ୍ତି । ସେପଟେ ତ୍ରିଚି କରାଇକୁଡିରେ ଥିବା ଟୋଲପ୍ଲାଜା ମଧ୍ୟ ଭାଙ୍ଗିପଡିଛି । 

ଗାଜାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗପଟ୍ଟିନମ ଜିଲ୍ଲା । ସବୁଆଡେ ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ଭାଙ୍ଗି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ମାଟିରେ ମିଶିଛି । ସେପଟେ ଗାଜା ଅତିକ୍ରମ କରିବାର ଦୁଇ ଦିନ ପରେ ମଧ୍ୟ ସହରରେ ବିଦ୍ୟୁତ ସରାବରାହ ବନ୍ଦ ରହିଛି । ଏହାରି ମଧ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଅଂହଟା ଭିଡିଛନ୍ତି ନାଗପଟ୍ଟିନମ ବାସୀ । 

ଗାଜାରେ ପ୍ରଭାବିତ ପ୍ରାୟ ୮୧ହଜାର ୯୪୮ ଲୋକଙ୍କୁ ଉଦ୍ଧାର କରାଯାଇ ଶିବିରରେ ରଖାଯାଇଛି । ଏବଂ ତାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେପଟେ ପ୍ରଶାସନ ପକ୍ଷରୁ ପ୍ରଭାବିତଙ୍କୁ ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି । ଗାଜା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି । ଫଳରେ ଏବେ ଯାଏଁ ଅନେକ ଅଂଚଳ ଅନ୍ଧାର ରହିଛି ।  ରାସ୍ତା ସଫା କାମରେ ଏନଡିଆରଏଫକୁ ନିୟୋଜିତ କରାଯାଇଛି ।

ଗାଜାରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ କ୍ଷୟକ୍ଷତିର ଆକଳନ କରାଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେପଟେ ପ୍ରଭାବିତଙ୍କ ସହାୟତା ପାଇଁ ରାଜ୍ୟ ସରକାର ୪୭୧ଟି ଶିବିର ଖୋଲିଛନ୍ତି । ପରିସ୍ଥିତିକୁ ଦେଖି ରାମନାଥପୁରମ ଓ ତୁତିକୋରିନରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି ।