ସାଉଦି ଆରବର ପାକିସ୍ତାନ ପ୍ରେମ । ଜି-୨୦ ଟୁରିଜିମ୍ କାର୍ଯ୍ୟକାରୀ ଗ୍ରୁପର ବୈଠକରେ ଯୋଗ ଦେବାକୁ କାହିଁକି ମନା କଲା ସାଉଦି ଆରବ

201

କନକ ବ୍ୟୁରୋ : ଭାରତ ସହ ସାଉଦି ଆରବର ଭଲ ସମ୍ପର୍କ ଥିବା ସତ୍ତେ୍ୱ ପୁଣିଥରେ ସାଉଦି ଆରବର ପାକିସ୍ତାନୀ ପ୍ରେମ ଦେଖିବାକୁ ମିଳିଛି । ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଚାଲିଥିବା ତିନି ଦିନିଆ ଜି-୨୦ ଟୁରିଜିମ୍ କାର୍ଯ୍ୟକାରୀ ଗ୍ରୁପ ବୈଠକରେ ଯୋଗ ଦେବାକୁ ମନା କରି ଦେଇଛି ସାଉଦି ଆରବ । ଅନ୍ୟପଟେ ବୈଠକ ଆରମ୍ଭ ପୂର୍ବରୁ ମୁସଲମାନ ଦେଶ ଏହି ସମ୍ମିଳନୀରେ ଯୋଗ ନଦେବାକୁ ପାକିସ୍ତାନ ନିବେଦନ କରିଥିଲା । ସାଉଦି ଆରବ ବ୍ୟତିତ ଚୀନ ଏବଂ ତୁର୍କୀ ମଧ୍ୟ ଏହି ଶିଖର ସମ୍ମିଳନୀରେ ଭାଗ ନେଇନାହାନ୍ତି ।

ନିକଟରେ ସାଉଦି ଆରବ ସହ ଭାରତର ସମ୍ପର୍କ ସୁଦୃଢ଼ ହୋଇଥିଲା । କିନ୍ତୁ ଏବେ ପୁଣିଥରେ ସମ୍ପର୍କ ଖରାପ ହୋଇଥିବା ଦେଖାଯାଇଛି । ଯଦିଓ କାହଁକି ଏହି ବୈଠକରେ ଯୋଗ ଦେବ ନାହିଁ ସେ ସମ୍ପର୍କରେ ସାଉଦି ଆରବ ପକ୍ଷରୁ କୌଣସି ସ୍ପଷ୍ଠୀକରଣ ଦେଇନାହିଁ । ଏହା କାଶ୍ମୀର ପ୍ରସଙ୍ଗ ସହ ଜଡିତ ରହିଛି ବୋଲି ଅନୁମାନ କରାଯାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିଛି । ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରିଛି ସାଉଦି ଆରବ ।

୨୦୨୦ ମସିହା ପୂର୍ବରୁ ଯେତେବେଳେ ସାଉଦି ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲା ସେତେବେଳେ ଏକ ସ୍ୱତନ୍ତ୍ର ମୁଦ୍ରା ଉପସ୍ଥାପନ କରିଥିଲା । ଛପା ଯାଇଥିବା ମୁଦ୍ରାର ମାନଚିତ୍ରରେ ଜାମ୍ମୁ-କାଶ୍ମୀରକୁ ଭାରତଠାରୁ ଅଲଗା ବୋଲି ବର୍ଣ୍ଣନା କରିଥିଲା ସାଉଦି ଆରବ । ଯଦିଓ ସେତେବେଳେ ଭାରତ ଅସନ୍ତୋଷ ବ୍ୟକ୍ତ କରିଥିଲା ଫଳ ସ୍ୱରୁପ ସାଉଦି ଆରବ ତରଫରୁ ଏହି ମୁଦ୍ରାକୁ ବଦଳାଇବାକୁ ପଡ଼ିଲା । ଯେଉଁ ଟଙ୍କା ଏବେ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଟଙ୍କା ଫଟୋରେ ଗୋଟିଏ ପାଶ୍ୱର୍ରେ ସାଉଦି ରାଜା ସଲମାନଙ୍କ ଫଟୋ ସହ ଜି-୨୦ର ଲୋଗୋ ରହିଛି । ଅନ୍ୟ ଏକ ପାଶ୍ୱର୍ରେ ବିଶ୍ୱ ମାନଚିତ୍ର ରହିଛି । ଯେଉଁଥିରେ ଲଦାଖ ଏବଂ ଜମ୍ମୁ-କାଶ୍ମୀରକୁ ଭାରତଠାରୁ ଅଲଗା ବୋଲି ଦର୍ଶାଯାଇଛି । ଯାହାକୁ ନେଇ ସେହି ସମୟରେ ଭାରତ ସରକାର ସାଉଦି ଆରବ ଉରେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ଏବେ ଏହି ଫଟୋଟି ଭାଇରାଲ ହେବା ପରେ ସାଉଦି ଆରବକୁ କଟାକ୍ଷ କରୁଛନ୍ତି ଲୋକମାନେ ।