ଦେଶର ଏହି ସହରରେ ଭିକ ମାଗିବା ଉପରେ ଲାଗିଲା କଟକଣା । ଜାଣନ୍ତୁ, କାରଣ କଣ

121

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଭିକ ମାଗିବା ଉପରେ ଲାଗିଲା କଟକଣା । ଦେଶରେ ବିଭିନ୍ନ ସହରରେ ଭିକ୍ଷା ବୃତ୍ତି କରି ଲୋକେ ଚଳିଆସୁଛନ୍ତି । ନିଜ ପେଟ ପୋସିବା ପାଇଁ ଅନ୍ୟଙ୍କ ପାଖରେ ହାତ ପତାଉଛନ୍ତି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ପୋଲିସ ଭିକ୍ଷାବୃତ୍ତି ଉପରେ କଟକଣା ଲଗାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଗତ ବୁଧବାର ନାଗପୁର ସିଟି ପୋଲିସ କମିଶନର ପକ୍ଷରୁ ଏକ ନିର୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦଶ ଆଧାରରେ ସହରର କୌଣସି ବି ସ୍ଥାନରେ ଭିକ ମାଗିପାରିବେନି ଲୋକେ । ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ଯଦି କୌଣସି ଲୋକ ଏହି ନିୟମକୁ ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏମିତି ଅଚାନକ ସହରରେ ଭିକ ମାଗିବା ଉପରେ କାହିଁକି କଟକଣା ଲାଗୁ କରାଗଲା?

ଦେଶର ବିଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି । ଅନେକ ଦେଶର ବହୁ ପ୍ରତିକ୍ଷିତ ଲୋକ ଏଥିରେ ସାମିଲ ହେଉଛନ୍ତି । ଭାରତର ଛବି କିଭଳି ବିଶ୍ୱ ବଜାରରେ ଉଚ୍ଚରେ ରହିବ ସେନେଇ ପ୍ରଚେଷ୍ଠା ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ରାସ୍ତାରେ ଲୋକେ ଭିକ୍ଷା ମାଗିବା ଦ୍ୱାରା ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଏହି କଟକଣା ଲାଗୁ ରହିବ ବୋଲି ଘୋଷଣା କରାଯାଇଛି । ଏହା ସହିତ ଯଦି ଏହି ଲିୟମକୁ କେହି ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ଆଇପିସି ଧାରା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।