କାର ଚାଳକ ଓ କମ୍ପାନୀ ପାଇଁ ବଡ ଖବର । ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ନିୟମ, ନମାନିଲେ କଟିବ ଚାଲାଣ ।

1,323
କନକ ବ୍ୟୁରୋ: ଦେଶରେ ବଢୁଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ମୋଦି ସରକାର ଏପ୍ରିଲ ପହିଲାରୁ ବଡ ନିୟମ ଆଣିବାକୁ ଯାଉଛନ୍ତି । ଏପ୍ରିଲ ୧ରୁ କାର ଚାଳକଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ଆଉ ଏହି ନିୟମ ଉଲଂଘନ କଲେ କାର ମାଲିକ ଏବଂ କମ୍ପାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।
ଏପ୍ରିଲ ୧ରୁ କାରରେ ଏୟାର ବ୍ୟାଗ୍ ଲଗାଇବା ବାଧ୍ୟତାମୁଳକ କରିଛନ୍ତି କେନ୍ଦ୍ର ସରକାର । ଏବେ ଚାଳକଙ୍କ ସୁରକ୍ଷାକୁ ନଜରରେ ରଖି କାର କମ୍ପାନୀ ଗୁଡିକୁ ପ୍ରତିଟି ନୂଆ କାରରେ ଏୟାରବ୍ୟାଗ୍ ଲଗାଇବାକୁ ପଡିବ । ଆଉ ଯେଉଁମାନେ କାର କିଣିସାରିଛନ୍ତି ସେମାନେ ମଧ୍ୟ କାରରେ ଏୟାର ବ୍ୟାଗ୍ ଲଗାଇବାକୁ ବାଧ୍ୟ ହେବେ । ଏଠାରେ କହିରଖୁଛୁ କି, ଡ୍ରାଇଭର ଏବଂ ଆଗରେ ବସୁଥିବା ଯାତ୍ରୀ ଉଭୟଙ୍କ ପାଇଁ ଏୟାର ବ୍ୟାଗ୍ ଲଗାଇବା ବାଧ୍ୟତାମୁଳକ ରହିଛି । ସୂଚନା ମୁତାବକ, ଏହି ନିୟମ ନୂଆ କାର କିଣୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ରୁ ଲାଗୁ ହେଉଥିବା ବେଳେ ପୁରୁଣା କାର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଅଗଷ୍ଟ ଶେଷ ସୁଦ୍ଧା ଲାଗୁ କରାଯିବ ।
ତେବେ ଆସନ୍ତୁ ଜାଣିବା ଏୟାର ବ୍ୟାଗର ଗୁରୁତ୍ୱ କଣ । ଏୟାର ବ୍ୟାଗ୍ ଏମିତି ଏକ ଜିନିଷ ଯାହା ଭୟଙ୍କର ଦୁର୍ଘଟଣାରୁ ଚାଳକକୁ ରକ୍ଷା କରିଥାଏ । ଦୁର୍ଘଟଣା ସମୟରେ କାର କୌଣସି ଜିନିଷରେ ଧକ୍କା ହେବା ମାତ୍ରେ, ଏୟାର ବ୍ୟାଗ୍ ଖୋଲିଯାଇଥାଏ । ଆଉ ଚାଳକ ଏବଂ ଆଗରେ ବସିଥିବା ଯାତ୍ରୀ କୌଣସି ଟାଣ ଜିନିଷରେ ମାଡ ନହୋଇ ଏୟାରବ୍ୟାଗରେ ମାଡ ହୁଅନ୍ତି । ଆଉ ମୁଲ୍ୟବାନ ଜୀବନ ବଞ୍ଚିଯାଏ । ଯେଉଁ କାରରେ ଏୟାର ବ୍ୟାଗ୍ ନଥାଏ ପ୍ରାୟତଃ ସେହି ଗାଡି ଦୁର୍ଘଟଣାର ଶିକାର ହେଲେ ଚାଳକର ଜୀବନ ଚାଲିଯାଇଥାଏ, ଅଥବା ଚାଳକ ଗୁରୁତର ଆହତ ହୋଇଥାଏ ।
ତେଣୁ ବଢୁଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ସରକାର ଏଭଳି ଏକ ନିୟମ ଆଣିଛନ୍ତି । ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କର ମୋଟା ଅଙ୍କର ଚାଲାଣ କଟିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।