ଗାଡି ଚାଳକ ସାବଧାନ, ଆଜିଠାରୁ ସାରା ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନ ଅନୁଯାୟୀ ଖିଲାପକାରୀଙ୍କଠୁ ଆଦାୟ ହେବ ଚଢା ଜରିମାନା

751

କନକ ବ୍ୟୁରୋ : ଆଜି ଡିସେମ୍ବର ୧ ତାରିଖ । ସାରା ଓଡିଶାରେ ଗାଡି ଚାଳକଙ୍କୁ ସାବଧାନ ହୋଇଯିବାର ଦିନ । ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ କରାଯାଇଛିି । ସେଥିପାଇଁ ଆପଣ ବେପରୁଆ ହୋଇଯାଇଛନ୍ତି କି? ତାହାହେଲେ ଆପଣ ସାଂଘାତିକ ଭୁଲ କରିବାକୁ ଯାଉଛନ୍ତି । କାରଣ ଆଜିିଠାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ନିସ୍ତାର ନାହିଁ । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ହେଲେ ଯାଂଚ ବେଳେ ଆଉ ସବୁକିଛି ନିୟମ କଡାକଡି ପାଳନ ହେବ । ଅର୍ଥାତ ଟ୍ରାଫିକ ନିୟମ ଉଲଂଘନ, ହେଲମେଟ୍ ନ ପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା ଆଦି ଧରାପଡିଲେ ମୋଟା ଆକାରର ଜରିମାନା ଦେବେ । ଏପରିକି ଟ୍ରାଫିକ ପୋଲିସ ନଥିଲେ ବି ଖିଲାପକାରୀଙ୍କୁ ଧରିବ କ୍ୟାମେରା । ଆଉ ସେମାନଙ୍କ ଘରକୁ ପଠାଇ ଦିଆଯିବ ଇ-ଚାଲଣ । ଖିଲାପକାରୀ ଜୋରିମାନା ପୈଠ କରିବା ପାଇଁ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଖୋଲିବ କାଉଂଟର । ଜରିମାନା ପୈଠରେ ବିଳମ୍ବ ହେଲେ ଜରିମାନା ସହ ସୁଧ ମଧ୍ୟ ପୈଠ କରିବାକୁ ପଡିବ ।

ରୁପାଲି ଛକରେ ସ୍ୱଂୟଚାଳିତ ନମ୍ବର ପ୍ଲେଟ ଚିହ୍ନଟ ବ୍ୟବସ୍ଥା ରହିବ । ପରେ ୮ଟି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି । ସିସିଟିଭି ନଥିବା ଛକରେ ପର୍ଯ୍ୟାପ୍ତ ଟ୍ରାଫିକ କର୍ମଚାରୀ ରହି ବଡି କ୍ୟାମେରା ଲଗାଇ ଯାଂଚ କରିବେ ।  ଏପଟେ କେମିତି କଟାଯିବ ଇ-ଚାଲାଣ, ସେନେଇ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଉପସ୍ଥିତିରେ କମିଶନରେଟ ପୋଲିସର ଟ୍ରାଫିକ କର୍ମଚାରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି । ଇ-ଚାଲାଣ ମେସିନରୁ କିଭଳି ଚାଲାଣ କଟାଯିବ ସେ ବାବଦରେ କର୍ମଚାରୀ ମାନେ ତଥ୍ୟ ହାସଲ କରିଛନ୍ତି ।