ଆଜିଠାରୁ ସାରା ଦେଶରେ ନବରାତ୍ରୀ ପୂଜା : କରୋନା କଟକଣା ଯୋଗୁଁ ପୂଜାର ମାହୋଲ ଫିକା

435

କନକ ବ୍ୟୁରେ : ଆଜିଠୁ ନବରାତ୍ରୀ ପୂଜା । କରୋନା କଟକଣା ଭିତରେ ବିଭିନ୍ନ ଶକ୍ତିପିଠ ଗୁଡ଼ିକରେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି । ବ୍ରହ୍ମପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବୁଢିଠାକୁରାଣୀଙ୍କ ପୀଠରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ଅବକାଶ, ଅଭିଶେକ, ମାଜଣା, ଖେଚଡ଼ି, ରାଜଭୋଗ ଓ ପହୁଡ଼ ଆଦି ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଶୋଢଶଉପଚାର, ମହାସ୍ନାନ, ଚଣ୍ଡିପାଠ, ହୋମଯଜ୍ଞ ଭଳି ନୀତିକାନ୍ତି କରାଯାଏ । ଏହା ଛଡ଼ା ନବରାତ୍ରୀରେ ମା’ ବିଭିନ୍ନ ବେଶରେ ମଧ୍ୟ ଦର୍ଶନ ଦେଇଥାଆନ୍ତି ।

କୋଭିଡ଼ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ସେପଟେ ବ୍ରହ୍ମପୁରରେ କୋଭିଡ଼ ଯୋଗୁଁ କୌଣସୀ ଅସ୍ଥାୟୀ ପୂଜା ମଣ୍ଡପରେ ଦୁର୍ଗତୀ ନାସିନ ମା’ ଦୁର୍ଗାଙ୍କୁ ପୂଜା କରିବା ଲାଗି ପ୍ରଶାସନ ଅନୁମତି ଦେଇନାହିଁ । ଅନ୍ୟପଟେ ଓଡିଶାର ସବୁଠାରୁ ବଡ ଦୁର୍ଗାମେଢ କଟକରେ ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ କୋଭିଡ୍ -୧୯ କଟକଣା ଯୋଗୁଁ ପୂଜାକୁ ନେଇ କିଛି ସ୍ଥିର ହୋଇପାରି ନାହିଁ । ପୂଜା କମିଟି ଓ ନ୍ୟାୟାଳୟ ମଧ୍ୟରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଏବେ ବି କନ୍ଦଳ ଲାଗି ରହିଛି ।