ଫଟୋ ଆମର, କଥା ଆପଣଙ୍କର ! ବନ୍ଧୁତା ପାଇଁ ହାତ ମିଶୁଛି, ପ୍ରସଙ୍ଗ ପାଇଁ ମନ ମିଶୁନି

124

କନକ ବ୍ୟୁରୋ : ବିଜେପୁର ବିଗୁଲ ବାଜିବା ପରେ ଉଭୟ ବିଜେପି –ବିଜେଡି ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । କେହି କାହାକୁ ଆଡ ଆଖିରେ ମଧ୍ୟ ଚାହୁଁନାହନ୍ତି । କେବଳ ବିଜେପୁର ନୁହେଁ କୁନ୍ଦୁଲି ପ୍ରସଙ୍ଗ, ମହାନଦୀ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହେଉଥିବା ବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟ ବନ୍ଦ ହେଉନାହିଁ । ତେବେ ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଦୁଇଟି ଫଟୋ ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ଫଟୋ ରାଜ୍ୟ ରାଜଧାନୀରୁ ଆସିଥିବା ବେଳେ ଅନ୍ୟ ଫଟୋଟି ନୂଆଦିଲ୍ଲୀରୁ ଆସିଛି । ଉଭୟ ଫଟୋରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ଯାହା ସାଧାରଣ ଲୋକଙ୍କୁ ଆଲୋଚନା ପାଇଁ ଖୋରାକ ଯୋଗାଇଛି । କାରଣ ରାଜ୍ୟ ରାଜନୀତିର ଦୁଇ ଶତ୍ରୁ ବିଜେପି-ବିଜେଡି ଦଳର ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରାଜନୈତିକ ବିଚାର ବିଭେଦ ଥିବା ଦୁଇଟି ଦଳର ନେତାଙ୍କୁ ଏକାଠି ଦେଖିଲେ ଆମ ମନରେ ଅନେକ ପ୍ରଶ୍ନ ଉଠେ । ଏହା ସ୍ୱାଭାବିକ ମଧ୍ୟ । କାରଣ ପ୍ରସଙ୍ଗ ଥାଉ କି ନଥାଉ ପରସ୍ପର ବିରୋଧୀ ବୟାନବାଜି କରୁଥିବା ନେତା ଏକାଠି ହେବା ଖୁବ ବିରଳ । ଆଉ ଏଭଳି ଏକ ଚିତ୍ର ଆଜି ସାମ୍ନାକୁ ଆସିଛି ସଂସଦର ସେଂଟ୍ରାଲ ହଲରୁ । କ୍ୟାମେରାର ଗୋଟିଏ ଫ୍ରେମରେ ଏକାଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ, ସାଂସଦ ତଥାଗତ ଶତପଥୀ, କଳିକେଶ ନାରାୟଣ ସିଂଦେଓ ଏବଂ ପ୍ରତାପ ଦେବ । ବର୍ତମାନ ରାଜ୍ୟ ରାଜନୀତି ଯେଉଁ ତିକ୍ତତା ଭିତରେ ଗତି କରୁଛି ଠିକ ସେତିକିବେଳେ ଏହି ନେତାମାନେ ଅତି ସହଜ ଢଙ୍ଗରେ ବସିଥିବାର ଦେଖିବାକୁ ମିଳିଛି ।

dharmendra vs tathagatପଂଚାୟତ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁବ କଟୁ ସମାଲୋଚନା କରିଥିଲେ ତଥାଗତ ଶତପଥୀ । ଏପରିକି ଓଡିଶାରୁ ଜଣେ ମାତ୍ର କେନ୍ଦ୍ରମନ୍ତ୍ରୀ ଥିବା ସେ ଜାଣନ୍ତି ଓ ଧର୍ମେନ୍ଦ୍ର ପ୍ରଧାନ କିଏ ସେ ଜାଣିନ୍ତି ନାହିଁ ବୋଲି କହିଥିଲେ ତଥାଗତ । ସେ ହୁଏତ ବିହାରରୁ କେନ୍ଦ୍ରମନ୍ତ୍ରୀ ଥାଇପାରନ୍ତି ବୋଲି କହିବାକୁ ପଛାଇ ନଥିଲେ । ସେପଟେ ବର୍ତମାନ ବିଜେଡିର ଶତ୍ରୁ ନମ୍ବର ୱାନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତିରେ ବାରମ୍ବାର କଟାକ୍ଷ କରିଆସିଛନ୍ତି ପ୍ରତାପ ଦେବ । ହେଲେ ଭର୍ତୃହରି ମହତାବ କିନ୍ତୁ ଅନେକ ସମୟରେ ବିଜେପି, ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ରାଜ୍ୟରେ ବିଜେଡି-ବିଜେପି ତିକ୍ତ ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ଏହି ନେତାମାନେ ଏକାଠି ବସିବାକୁ ନେଇ କି ସନ୍ଦେସ ଆସୁଛି । ନା ଏହାକୁ କେବଳ ଏକ ଅବସର କାଟିବାର ସମୟ ବୋଲି ଧରିନିଆଯିବା ଉଚିତ । ଏହି ଫଟୋକୁ ନିଜ ଟ୍ୱିଟର ଆକାଉଂଟରେ ପୋଷ୍ଟ କରିବା ସହ ବନ୍ଧୁତାର ଏକ ମୁହୂର୍ତ ବୋଲି ଲେଖିଛନ୍ତି ସାଂସଦ ତଥାଗତ ଶତପଥୀ ।

bjd bjpକେବଳ ଏହି ଗୋଟିଏ ଫଟୋ ନୁହେଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ମଧ୍ୟ ଏକ ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବିଜେପୁର ଉପନିର୍ବାଚନ ନେଇ ହୋଇଥିବା ସର୍ବଦଳୀୟ ବୈଠକ ପରେ ବିଜେଡିର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପିର ମୁଖପାତ୍ର ସଜ୍ଜନ ଶର୍ମାଙ୍କୁ ଏକ ଭିନ୍ନ ଭଙ୍ଗୀରେ ଦେଖିବାକୁ ମିଳିଥିଲା । ଉଭୟ ପରସ୍ପରର ହାତକୁ ଧରି ବେଶ କିଛି ସମୟ ଧରି କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରୁଥିଲେ । ପ୍ରିୟଦର୍ଶଙ୍କ ହାତ ସଜ୍ଜନ ଏପରି ଭାବେ ଧରିଥିଲେ ଯେ ଲାଗୁଥିଲା ତାଙ୍କ ହାତ ଛାଡିବା ମୁଡରେ ସେ ନାହାନ୍ତି ।ତେବେ ଏହି ସମୟରେ ପ୍ରିୟଦର୍ଶୀଙ୍କ ପାଖରେ ବିଜେପିର ଅନେକ ନେତାଙ୍କୁ ଦେଖିବାକୁ ମିଳିଥିଲା । ଖାସ କରି ଯେଉଁମାନେ ନବୀନଙ୍କ ବିରୋଧରେ ଅଧିକାଂଶ ସମୟ ନାରାବାଜି କରିଥାନ୍ତି । ରାଜନୈତିକ ଶତ୍ରୁ ଦଳ ବିଜେପି ନେତାଙ୍କ ସହ ଅଧିକ ସମୟ ବିତାଇଲେ କାଳେ ସୁପ୍ରିମୋଙ୍କ ନିକଟକୁ ଭୂଲ ମେସେଜ ଯିବ ତାହା ପୂର୍ବରୁ ସର୍ତକ ହୋଇଯାଇଥିଲେ ପ୍ରିୟଦର୍ଶୀ । ବିଜେପି ନେତାଙ୍କ କଥାରେ ମୁରୁକି ହସା ଦେଇ ଚୁପଚାପ ସେଠାରୁ ଖସି ଆସିଥିଲେ । ତେବେ ଅବସର ବିନୋଦନ ବଦଳରେ ଯଦି ରାଜ୍ୟର ବିକାଶ ପାଇଁ ନେତା ମାନେ ଏକାଠି ହୁଅନ୍ତେ ତେବେ ମହାନଦୀ ବିବାଦ ଭଳି ଅନେକ ବିବାଦର ସମାଧାନର ବାଟ ବାହାରି ପାରନ୍ତା ।