ଅସମୟରେ ଶବର ସାହାରା ସୁନ୍ଦରଗଡର ଶ୍ମଶାନ ବନ୍ଧୁ । ସାରା ସମାଜକୁ ଦେଉଛନ୍ତି ମାନବିକତାର ବାର୍ତ୍ତା

148

କନକ ବ୍ୟୁରୋ: ମଶାଣୀରେ ଧୁଧୁ ଜଳୁଛି ଯୁଇ ନିଆଁ । ହେଲେ ଜଳି ପୋଡି ପାଉଁଶ ହୋଇଯାଉଥିବା ଏହି ଅଜଣା ଶବଙ୍କ ପାଇଁ ଟୋପେ ଲୁହ ଝରାଇବାକୁ କେହି ନାହିଁ । ଆଉ ଯଦି କେହି ଅଛି ସମୟ ସ୍ରୋତରେ ସେମାନେ ଅସହାୟ । ମଶାଣୀ ଯାଏଁ କାନ୍ଧ ଦେବାକୁ କାହାର ସାହାସ ନାହିଁ । ହେଲେ ଏପରି ଅସମୟରେ ଅସହାୟ ଶବର ବନ୍ଧୁ ପାଲଟିଛନ୍ତି ସୁନ୍ଦରଗଡର କିଛି ଦରଦୀ ବନ୍ଧୁ । ଏଯାଏଁଁ ୧୫୦୦ରୁ ଅଧିକ ଶବଙ୍କ ସଂସ୍କାର କରି ସୃଷ୍ଟି କରିଛନ୍ତି ରେକର୍ଡ ।

ସ୍ୱାର୍ଥପର ସମାଜରେ ଏବେବି ବଞ୍ଚିରହିଛି ମାନବିକତା । ଏହାକୁ ଥରେ ନୁହେଁ ବାରମ୍ବାର ପ୍ରମାଣ କରିଛନ୍ତି ସୁନ୍ଦରଗଡର ଏହି ଦରଦୀ ବନ୍ଧୁ । ବେସାହାରାଙ୍କ ସାହାରା । ଅଜଣା. ଅଲୋଡା ଶବର ସାଥୀ । ସୁନ୍ଦରଗଡର ଶ୍ମଶାନ ବନ୍ଧୁ । ଭଷ୍ମା ଥାନା ଅଞ୍ଚଳରେ ମରି ପଡିଥିବା ଅସହାୟ ରଞ୍ଚିତ ପଣ୍ଡାଙ୍କର ଶବ ସଂସ୍କାର କରି ସୃଷ୍ଟି କରିଛନ୍ତି ଆଉ ଏକ ଉଦାହରଣ ।

ବେଳେ ବେଳେ ସମୟ ଏମିତି ମୋଡ ନିଏ ଯେତେବେଳେ ମଲାପରେ ବି ଏ ମଣିଷକୁ ନିସ୍ତାର ନଥାଏ । ତାର ମଲାଦେହଟାକୁ ମଶାଣୀ ଯାଏଁ ବୋହି ନେବାକୁ କେହି ନଥାନ୍ତି । ସେଠି ସବୁ ସମ୍ପର୍କ ମୂଲ୍ୟହୀନ । ଯାହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କରୋନା ମହାମାରୀ ସମୟରେ । ଶ୍ମଶାନକୁ ଛୁଟୁଥିଲା ଶବଙ୍କ ସୁଅ । ହେଲେ ମୁଖାଗ୍ନି ଦେବାକୁ କେହି ବି ନଥିଲେ । ଆଉ ଏହି ସମୟରେ ଏହି ଶବଙ୍କ ସାଥୀ ପାଲଟିଥିଲେ ସୁନ୍ଦରଗଡର ଏହି ପାଞ୍ଚ ଜଣ ବନ୍ଧୁ । ଗୋଟେ ପରେ ଗୋଟେ ପାଖାପାଖି ୪ଶହରୁ ଅଧିକ କରୋନା ରୋଗୀଙ୍କ ଶବ ସକ୍ରାର କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅବହେଳିତ ଶବଙ୍କର ଅନ୍ତିମ ସଂସ୍କାର କରି ଶ୍ମଶାନ ବନ୍ଧୁର ପରିଚୟ ପାଇଥିବା ଏହି ଟିମକୁ ନେଇ ସମସ୍ତଙ୍କ ମୁହଁରେ ଅଜସ୍ର ପ୍ରଶଂସା ।