ନୋବେଲ ବିଜେତା ଲ୍ୟୁକ୍ ମୋଣ୍ଟେଗେନାରଙ୍କ ଚାଞ୍ଚଲ୍ୟକର ତଥ୍ୟ ! କହିଲେ ମଣିଷ ତିଆରି କରିଛି କରୋନା ଭାଇରସ୍, ଦୁର୍ଘଟଣାବଶତଃ ଚୀନର ଉହାନ ପରୀକ୍ଷାଗାରରୁ ଲିକ୍ ହୋଇଛି ଭୂତାଣୁ ।
କନକ ବ୍ୟୁରୋ: ନୋବେଲ ବିଜେତା ଫରାସୀ ଭୂତାଣୁ ବିଶେଷଜ୍ଞ ଲ୍ୟୁକ୍ ମୋଣ୍ଟେଗେନରଙ୍କ ବୟାନ, ଚିକିତ୍ସା ବିଜ୍ଞାନରେ ବିରାଟ ଝଡ଼ ସୃଷ୍ଟି କରିଛି । ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଥିବା ମହାମାରୀ କରୋନା ଭୂତାଣୁ ଚୀନର ଏକ ଲାବୋରେଟୋରୀରୁ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚାକୁ ଏହା ଆହୁରି ବଳ ଯୋଗାଇଛି । କାରଣ ଏହି ଭୂତାଣୁ ମଣିଷ କୃତ ଏବଂ ଚୀନ ଲାବୋରେଟୋରୀରେ ଏଡ୍ସ ବିରୋଧରେ ଟୀକା ପ୍ରସ୍ତୁତି ବେଳେ ସୃଷ୍ଟି ହୋଇଥାଇ ପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଫରାସୀ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଲ୍ୟୁକ କହିଛନ୍ତି- ‘ଏଚ୍ଆଇଭି ଓ ମ୍ୟାଲେରିଆ ଭୁତାଣୁର ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ମେଳ ଖାଇବା ସନ୍ଦେହଜନକ । ଏହାର ଲକ୍ଷଣ ମଧ୍ୟ ପ୍ରାକୃତିକ ନୁହେଁ । ଉହାନ ନ୍ୟାସନାଲ ବାୟୋସେଫ୍ଟି ଲାବୋରେଟୋରୀରେ କୌଣସି ଦୁର୍ଘଟଣା ଘଟିଥାଇପାରେ । କାରଣ ଏହା ୨୦୦୦ ମସିହାରୁ କରୋନା ଭୂତାଣୁ ସଂପର୍କରେ ଗବେଷଣା କରିଆସୁଛି ।’
ସବୁଠାରୁ ବଡ଼ କଥା ହେଲା, ଏଚଆଇଭି ଏଡ୍ସର ସହ ଆବିଷ୍କାରକ ଭାବେ ୨୦୦୮ ମସିହାରେ ଲ୍ୟୁକ୍ ମୋଣ୍ଟେଗେନରଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନ୍ୟ ଦୁଇ ବୈଜ୍ଞାନିକଙ୍କ ସହ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାର ମିଳିଥିଲା । ଲ୍ୟୁକ କହିଛନ୍ତି ପ୍ରକୃତି ସହ ବାରମ୍ବାର ଖେଳିଲେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ । ତେବେ ପ୍ରକୃତି ହିଁ ଏହି ଭୂତାଣୁକୁ ନଷ୍ଟ କରିଦେବ ବୋଲି ସେ କହିଛନ୍ତି । ସେହି ସମୟ ଯାଏଁ ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ।