ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ ! ଭାରତଛାଡ ଆନ୍ଦୋଳନରେ ଏହି ଦୁଇ ମହାପୁରୁଷଙ୍କ ବାର୍ତ୍ତା ନାହିଁ ।

187

ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କୌଣସି କାର୍ୟ୍ୟକ୍ରମ କରିବାର ପ୍ରସ୍ତାବ ରଖିନାହିଁ। ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା ଏହି ସୁଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାରୁ ଯେଉଁମାନେ ସହିଦ ହୋଇଛନ୍ତି ଓ କାରାବରଣ କରିଛନ୍ତି ସେମାନଙ୍କର ଯେଉଁ ଜିଲ୍ଲାୱାରୀ ବିସ୍ତୃତ ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ସେଥିରେ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ନାମ ନାହିଁ କିମ୍ବା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ଇତିହାସରେ ସ୍ଥାନ ପାଇଥିବା ରକ୍ତତୀର୍ଥ ଇରମ୍ର ନାଁ ଗନ୍ଧ ନାହିଁ।ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ମୁତାବକ ଓଡ଼ିଶାରେ ୬୨୪ ଜଣ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଛନ୍ତି। ଏଥିରେ ଯାଜପୁର ଜିଲ୍ଲାରେ ୩୮୭, ବରଗଡ଼ ଜିଲ୍ଲାରେ ୧୫୦, ଢେଙ୍କାନାଳରେ ୨୨, କେନ୍ଦ୍ରାପଡ଼ାରେ ୨୦, ଅନୁଗୁଳରେ ୨୩ ଓ କେନ୍ଦୁଝର ଜିଲ୍ଲାରେ ୨୨ଜଣ ଭାରତଛାଡ଼ ଆନ୍ଦୋଳନରେ କାରାବରଣ କରିଥିବା ଦର୍ଶାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ଏହି ତଥ୍ୟରେ ନାହିଁ।ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତଛାଡ଼ ଆନ୍ଦୋଳନ ସମୟରେ ନବରଙ୍ଗପୁର ଜିଲ୍ଲାରେ ବିକ୍ରମ ଭତ୍ରା, ସହଦେବ ପୂଜାରୀଙ୍କ ସମେତ ୧୯ ଜଣ ସହିଦ ହୋଇଥିବା ବେଳେ ଏହି ଜିଲ୍ଲାରେ କିନ୍ତୁ କେହି କାରାବରଣ କରିଥିବା ଉଲ୍ଲେଖ କରାଯାଇନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାର ମାଥିଲିଠାରେ ପୋଲିସ ଗୁଳିରେ ୫ ଜଣ ସଂଗ୍ରାମୀ ସହିଦ ହୋଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲେ ମଧ୍ୟ ତାଙ୍କ ନାମ ସରକାରଙ୍କ ପ୍ରଦତ୍ତ ତାଲିକାରେ ନାହିଁ।

ଭାରତଛାଡ଼ ଆନ୍ଦୋଳନ ସମୟରେ ଢେଙ୍କାନାଳ ଜିଲ୍ଲାରେ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ଭଗୁ ସାହୁ ଓ ସୁବଳ ସଂଗ୍ରାମ ସିଂହ ସହିଦ ହୋଇଥିବା ସରକାରଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି। ଏହି ଜାତୀୟ ଆନ୍ଦୋଳନ କାଳରେ ଯାଜପୁର ଜିଲ୍ଲାରେ ୪ ଜଣ ସହିଦ ହୋଇଥିବା ଘେନି ତଥ୍ୟ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତଛାଡ଼ ଆନ୍ଦୋଳନର ୭୫ତମ ବାର୍ଷିକୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କାର୍ୟ୍ୟକ୍ରମ ଓ ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ଏହି ଐତିହାସିକ ଆନ୍ଦୋଳନରେ କେଉଁ ଜିଲ୍ଲାରେ କେଉଁମାନେ ଆମ ରାଜ୍ୟରେ ସହିଦ ହୋଇଛନ୍ତି ଓ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ ତାହାର ବିସ୍ତୃତ ବିବରଣୀ ମଧ୍ୟ ବିଧାୟକ ମାଗିଥିଲେ।