କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ ସିଲିଣ୍ଡର । ମାଗଣାରେ ଦେଉଛନ୍ତି ସେବା

169

କନକ ବ୍ୟୁରୋ : କରୋନା କାଳରେ କିଏ କୋଭିଡ ଔଷଧ ଚୋରାରେ ବିକି ଦି ପଇସା ଲାଭ କରୁଛି । କିଏ ଚୋରାରେ ୩୦୦ ଟଙ୍କାର ଅକ୍ସିଜେନକୁ ଚୋରାରେ ୩୦ ହଜାର ଟଙ୍କାରେ ବିକ୍ରି କରୁଛି । ହେଲେ ଦୁନିଆରେ ସମସ୍ତେ ସମାନ ନୁହନ୍ତି  । ଯାହାର ଉଦାହରଣ ସାଜିଛନ୍ତି ଭୋପାଳର ଜଣେ ଅଟୋ ଚାଳକ ।

କରୋନା ସଂକଟ କାଳରେ ଅଟୋ ଚଳାଇ ଦୈନିକ ୨ ରୁ ୩ ଶହ ଟଙ୍କା ରୋଜଗାର କରୁଥିବା ଏହି ଅଟୋଚାଳକ ଜଣଙ୍କ କିନ୍ତୁ ଭୁଲି ନାହାନ୍ତି ମାନବିକତା, ଭୁଲି ନାହାନ୍ତି ସମାଜ ପ୍ରତି ଥିବା ଜଣେ ନାଗରିକର କର୍ତ୍ତବ୍ୟ । ଭୋପାଳର ଅଟୋଚାଳକ ଜାବେଦ ଏମିତି କିଛି କରିଛନ୍ତି କି ଯେଉଁଥିପାଇଁ କେବଳ ମଧ୍ୟପ୍ରଦେଶ ନୁହେଁ ସାରା ଦେଶର ନାଗରିକଙ୍କ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି ।

ଜାବେଦ ଏହି ନାଁ ଟି ଏବେ ପୁରା ମଧ୍ୟପ୍ରଦେଶର ଘରେ ଘରେ ପରିଚିତ । କାରଣ କରୋନା କାଳରେ ସେ ନିଜର ଅଟୋକ ପ୍ରଥମେ ଆମ୍ବୁଲାନ୍ସରେ ପରିଣତ କରିଥିଲେ । ମାଗଣାରେ ଲୋକଙ୍କୁ ମେଡିକାଲ ନେବା କାର୍ଯ୍ୟ କରୁ କରୁ ଯେତେବେଳେ ବୁଝିଗଲେ ଯେ କେବଳ ମେଡିକାଲରେ ଛାଡିଦେଲେ କରୋନା ସଂକ୍ରମିତ ବଞ୍ଚିବା ସମ୍ଭବ ନୁହେଁ ସେତେବେଳେ ସେ ନିଜ ଅଟୋରେ ଅକ୍ସିଜେନ ସିଲିଣ୍ଡର ଲଗାଇବାକୁ ଚିନ୍ତା କଲେ । ହେଲେ ଅର୍ଥ ସାଜିଲା ବାଧକ । ଇଚ୍ଛା ଥିଲେ ଅର୍ଥ ଯେ, କୌଣସି କାମରେ ବାଧକ ନୁହେଁ ତାହା କରିଦେଖାଇଲେ ଜାବେଦ । ନିଜ ସ୍ତ୍ରୀର ଗହଣା ବିକ୍ରିକରି ଅଟୋରେ ଲଗାଇଲେ ଅକ୍ସିଜେନ ସିଲିଣ୍ଡର ।

ଏହାପରେ ଅଟୋ ସାଙ୍ଗକୁ ମାଗଣାରେ ଅକ୍ସିଜେନ ଯୋଗାଇଲେ ଜାବେଦ । ଯେଉଁ ଲୋକମାନଙ୍କ ପାଖରେ ଆମ୍ବୁଲାନ୍ସ ଭଡା ଦେବାକୁ ଟଙ୍କା ନାହିଁ ତାଙ୍କ ପାଇଁ ସାଜିଗଲେ ଦେବଦୂତ ।

ଖାଲି ସେତିକି ନୁହେଁ ସଂକ୍ରମଣରୁ ବଞ୍ଚିବାକୁ ଆମ୍ବୁଲାନ୍ସକୁ ଦୈନିକ ସାନିଟାଇଜ କରନ୍ତି ଜାବେଦ । ସେ କହିଛନ୍ତି କି ଏଭଳି ମହାମାରୀ ସମୟରେ ଲୋକଙ୍କ ସେବାରେ ଯଦି ଜଣେ ନାଗରିକ ନଆସିଲା ତେବେ ସେ କେମିତି କହିବ ମୁଁ ଜଣେ ଭାରତୀୟ । ତାଙ୍କର ଏହି କେଇପଦ କଥା ଓ ଲୋକଙ୍କ ସାହାଯ୍ୟ କରିବାର ଏଭଳି ଏକ ପ୍ରୟାସ ଆଜି ତାଙ୍କୁ ଜଣେ ଅଟୋ ଚାଳକରୁ ଜଣେ ସମାଜସେବୀ ଭାବେ ବଦଳାଇ ଦେଇଛି ।