‘କ୍ଷୁଧାର୍ତ୍ତ’ଙ୍କ ପାଇଁ ନିଆରା ପଦକ୍ଷେପ ! ୧୦୦ଟି ସ୍ଥାନରେ ଲାଗିବ ‘ଫ୍ରି ଫୁଡ୍ ରେଫ୍ରିଜେଟର’, ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏହି ଯୋଜନା ।

251

ଖାଦ୍ୟ ବିନା ଦୁନିଆରେ ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ । ମନୁଷ୍ୟ ହୁଅନ୍ତୁ କିମ୍ବା ଜୀବଜନ୍ତୁ, ବଂଚିରହିବା ପାଇଁ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକତା ରହିଛି । ଯଦି ଦୈନନ୍ଦିନ ଜୀବନ ଉପରେ ନଜର ପକାଇବା, ସକାଳର ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ରାତ୍ରିଭୋଜନରେ ଆମେ ଖାଦ୍ୟସେବନ କରିଥାଉ । ତେବେ ଏପରି ଅନେକ ସମୟରେ ହୋଇଥାଏ, ଆମେ ଖାଉଥିବା ଖାଦ୍ୟରୁ ଅନେକ ବଳକା ରହିଥାଏ । ଅର୍ଥାତ ଘରେ କିମ୍ବା ହୋଟେଲ ରେଷ୍ଟ୍ରୁରାଂଟରେ ଯେଉଁ ଖାଦ୍ୟ ରନ୍ଧାଯାଇଥାଏ, ସେଥିରେ ଖାଦ୍ୟ ବଳକା ରହିଯାଇଥାଏ । ଆଉ ଆମେ ତାକୁ କ’ଣ କରୁ । ସେଗୁଡିକୁ ଡଷ୍ଟବିନରେ ପକାଇଥାଉ କିମ୍ବା ଅଳିଆ ଗଦାରେ ଫୋପାଡି ଦେଇଥାଉ ।

ଗୋଟିଏ ପଟେ ଯଦି ଦେଖିବା ଆମେ ଖାଦ୍ୟ ନଷ୍ଟ କରୁଥିବା ବେଳେ, ଅନ୍ୟପଟେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଏପରିକି ଟିକିଏ ଖାଦ୍ୟ ପାଇଁ ସେମାନେ ଜୀବନ ସହ ସଂଘର୍ଷ ମଧ୍ୟ କରୁଛନ୍ତି । ତେବେ ଯେଉଁ ଖାଦ୍ୟ ଆମେ ଫୋପାଡି ଦେଉଛୁ, ତାହା ହୁଏତ କାହାର ଜୀବନ ବଂଚାଇପାରେ । ଆଜ୍ଞ ହଁ ଏହିପରି ହିଁ କିଛି ଚିନ୍ତାଧାରା ମନରେ ରଖି, ଲୋକମାନଙ୍କ ପାଇଁ କିଛି କରିବାର ଇଚ୍ଛାଶକ୍ତି ବଳରେ, ଅନାଥ ଶିଶୁ, ଅସହାୟ ଏବଂ ଗରିବ ଲୋକମାନଙ୍କ ମୁହଁରେ ଦି ମୁଠା ଖାଇବା ଯୋଗାଇବାର ଚିନ୍ତାଧାରା ନେଇ କିଛି ନିଆରା ପଦକ୍ଷେପ ନେଇଛନ୍ତି ଜଣେ ମହିଳା ।

ଭୋକିଲାଙ୍କ ଭୋକ ମେଂଟାଇବା ପାଇଁ ଉଦାହରଣ ସୃଷ୍ଟି କଲା ହାଇଦ୍ରାବାଦ । ଆପଲ୍ ହୋମ୍ସର ପ୍ରତିଷ୍ଠାତା ଡକ୍ଟର ନିଳିମା ଆରୟା ସମାଜ ପାଇଁ ସାଜିଲେ ଉଦାହରଣ । ହାଇଦ୍ରାବାଦ ସରକାର ଏବଂ ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନର ସହାୟତାରେ ଖାଦ୍ୟର ଆବଶ୍ୟକତା ଥିବା ଲୋକମାନଙ୍କ ପାଇଁ ରାସ୍ତାକଡରେ ଲଗାଇଲେ ଫ୍ରି ଫୁଡ୍ ରେଫ୍ରିଜେଟର । ଏହା ଏପରି ଏକ ଫ୍ରିଜ୍, ଯାହା ଭୋକିଲା ଲୋକମାନଙ୍କ କ୍ଷୁଧା ଦୂର କରିବ । ଦିନର ଯେକୌଣସି ସମୟରେ ଖାଦ୍ୟର ଆବଶ୍ୟକତା ଥିବା ଲୋକମାନେ ଏଥିରୁ ଖାଇବା କାଢି ଖାଇପାରିବେ ।

ଏଭଳି ଏକ ନିଆରା ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଖାଦ୍ୟକୁ ନଷ୍ଟ କରାନଯାଇ ଏହାର ସଠିକ ସଂରକ୍ଷଣ କରିବା । ତେବେ ଆସନ୍ତୁ ଜାଣିବା କିଭଳି ଏହି ରେଫ୍ରିଜେଟରର ବ୍ୟବହାର କରାଯିବ । ଯେଉଁ ଖାଦ୍ୟକୁ ଆପଣ ନଷ୍ଟ କରୁଛନ୍ତି, ତାକୁ ନଷ୍ଟ ନକରି ଏହି ରେଫ୍ରିଜେଟରରେ ଆଣି ସଠିକ ଭାବେ ସଂରକ୍ଷଣ କରିବେ । ଖାଦ୍ୟ କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ଏହି ରେଫ୍ରିଜେଟର ଉପରେ ସୂଚନା ଦିଆଯାଇଛି । ଆପଣମାନେ ମନେ ରଖିବା ଉଚିତ, ଯେଉଁ ଖାଦ୍ୟ ଆପଣ ଏଥିରେ ରଖୁଛନ୍ତି, ତାହା ଆଉ ଜଣେ କିଏ ଖାଇବେ । ସେଥିପାଇଁ ଯେଉଁ ଖାଦ୍ୟ ଆପଣ ରଖୁଛନ୍ତି ତାହା ଅଇଁଠା ହୋଇନଥିବା ଦରକାର ଏବଂ ତାହା ଯେପରି ନଷ୍ଟ ମଧ୍ୟ ହୋଇନଥିବ । ଖାଦ୍ୟକୁ ଉପଯୁକ୍ତ ପ୍ୟାକିଂ କରିବା ସହ, ସେଥିରେ ପ୍ୟାକିଂ ତାରିଖ ଏବଂ କେତେ ଦିନ ଏହା ସୁରକ୍ଷିତ ରହିବ ସେନେଇ ଏକ୍ସପାରୀ ତାରିଖ ମଧ୍ୟ ଉଲ୍ଲେଖ କରିବାକୁ ହେବ । ଖାଦ୍ୟକୁ ଛୋଟ ପରିମାଣରେ ପ୍ୟାକ କରିବାକୁ ହେବ । ରନ୍ଧା ହୋଇଥିବା ଖାଦ୍ୟ, ଏହା ସହ ଫଳ, କ୍ଷୀର କିମ୍ବା ବ୍ରେଡ୍ ଆଦି ଖାଦ୍ୟ ଆପଣ ଏଥିରେ ରଖିପାରିବେ । ଆପଣ ରଖୁଥିବା ଖାଦ୍ୟ ଯେପରି କାହାର ସ୍ୱାସ୍ଥ୍ୟ ଖରାପ ନକରେ ସେଥିପ୍ରତି ଆପଣଙ୍କୁ ବିଶେଷ ଭାବେ ଦୃଷ୍ଟି ଦେବାକୁ ପଡିବ ।

ତେବେ ସବୁଠାରୁ ବଡ କଥା ହେଉଛି, ଖାଦ୍ୟ ଜୀବନ ବଂଚାଇଥାଏ ତ ସତ, କିନ୍ତୁ ବେଳେ ବେଳେ ଏହା ଜୀବନ ମଧ୍ୟ ନେଇଥାଏ । କାରଣ ବେଳେ ବେଳେ ଅନେକ କାରଣରୁ ଆମେ ଖାଉଥିବା ଖାଦ୍ୟ ନଷ୍ଟ ହୋଇଯାଇଥାଏ । ସେଭଳି ଖାଦ୍ୟକୁ କେବେହେଲେ ଏହି ରେଫ୍ରିଜେଟରରେ ନରଖିବା ପାଇଁ କହିଛନ୍ତି ଏଭଳି ପଦକ୍ଷେପ ଆରମ୍ଭ କରିଥିବା ଡକ୍ଟର ନିଳିମା ଆର‌୍ୟା । ଜାନୁଆରୀ ୩୧ ତାରିଖରୁ ଏହି ରେଫ୍ରିଜେଟର ଗୋଟିଏ ସ୍ଥାନରେ ଲଗାଯାଇଥିବା ବେଳେ ଫେବୃଆରୀ ଶେଷ ସୁଦ୍ଧା ଆଉ ୯ଟି ସ୍ଥାନରେ ଲଗାଯିବ । ଏହିଭଳି ୧୦୦ଟି ସ୍ଥାନରେ ଏହି ରେଫ୍ରିଜେଟର ଲଗାଯିବ ବୋଲି ଜଣାପଡିଛି ।