ଦିଲ୍ଲୀ ପରେ ପଞ୍ଜାବରେ ମିଳିବ ମାଗଣା ବିଜୁଳି: ଜୁଲାଇ ପହିଲାରୁ ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି

141

କନକ ବ୍ୟୁରୋ: ପଂଜାବରେ ଏକ ମାସ ପୂର୍ତି ସରକାର ଗଠନ ଅବସରରେ ବଡ ଘୋଷଣା କରିଛି ଆପ୍ ସରକାର । ଘର ପ୍ରତି ୩ଶହ ୟୁନିଟ ମାଗଣା ଯୋଗାଇ ଦେବାକୁ ମାନ୍ ସରକାର ଘୋଷଣା କରିଛନ୍ତି । ଜୁଲାଇ ୧ତାରିଖରୁ ଏହି ନୂଆ  ନିୟମ ଲାଗୁ ହେବ । ଏହାସହ ଶିଳ୍ପାଂଚଳ ଓ ବ୍ୟବସାୟିକ ଦରରେ ବୃଦ୍ଧି ହେବ ନାହିଁ ବୋଲି ନିଷ୍ପତି ନିଆଯାଇଛି ।

ପଂଜାବରେ ଘର ପିଛା ଏଣିକି ୩ଶହ ୟୁନିଟ ମାଗଣା ବିଜୁଳି ମିଳିବ । ଜୁଲାଇ ପହିଲାରୁ ଏହି ମାଗଣା ସେବା ପାଇ ପାରିବେ ପଂଜାବବାସୀ । ରାଜ୍ୟରେ ଆପ୍ ସରକାର ଗଠନ ହେବାର ଏକ ମାସ ପୂର୍ତି ଅବସରରେ  ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ । ଏଥିରେ କୌଣସି ବର୍ଗ କରାଯାଇନାହିଁ ଗରୀବଠୁ ନେଇ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୁଇ ମାସରେ ୬ଶହ ୟୁନିଟ ମାଗଣା ବିଜୁଳି ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମାନ୍ । ପଞ୍ଜାବରେ ମୋଟ ୬୨ ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାହକ ଏଥିରେ ଉପକୃତ ହେବେ ।

ପରିବାର ପିଛା ମାସିକ ୩ଶହ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଆପ୍ ପଂଜାବ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଦିଲ୍ଲୀରେ ଆପ୍ ସରକାର ପ୍ରତି ମାସରେ ୨ଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେଉଛନ୍ତି । ପଞ୍ଜାବ ଏବେ କୃଷି କ୍ଷେତ୍ରରେ ବିନିଯୋଗ ପାଇଁ ମାଗଣା ବିଦ୍ୟୁତ୍ ଯୋଗାଇ ଦେଉଥିବା ବେଳେ ପଛୁଆ ବର୍ଗଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ଯୋଗାଇ ଦେଉଛନ୍ତି ।

ତେବେ ୧୮ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ୧ ହଜାର ଟଙ୍କାର  ସହାୟତା ଯୋଗାଇଦେବାକୁ ଆପ୍ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୁରା କରିପାରିବ କି ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ ରହିଛି । କାରଣ ଏଥିପାଇଁ ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ ୧୨  ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।