ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେପଟେ ଭିଡିଓ କନଫରେନସିଂରେ ହାଜର ହେଲେ ଓଟିଭି ଏମଡି

197

କନକ ବ୍ୟୁରୋ : ତଦନ୍ତ, କମିଶନ ଏବଂ ଓଟିଭି । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଭିତରେ ଘୁରିବୁଲୁଥିବା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶେଷରେ ଏଭଳି ଏକ ଖବର ଆସିଛି, ଯାହା ହୁଏତ ପୂର୍ବରୁ ଆସିବାର ଥିଲା । ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବାର ପ୍ରାୟ ୪ ମାସ ପରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଦୁଇ କର୍ମଚାରୀ ଓ ୨ ସୁରକ୍ଷା କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଉ ଘଟଣାରେ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଏପଟେ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଥିଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । କମିଶନଙ୍କ ନୋଟିସ୍ ଅଧାରରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ଅଭିଯୋଗ ଉପରେ ପକ୍ଷ ରଖିଛନ୍ତି । ତେବେ ଓଟିଭି ଏମ୍ଡିଙ୍କ ଉତର ସନ୍ତୋଷ ଜନକ ନଥିବା କମିଶନ ଅଧ୍ୟକ୍ଷା ଦେଇଥିବା ସୂଚନା ଦେଇଛନ୍ତି । ସେହିପରି ଅଭିଯୋଗକୁ ଖଣ୍ଡନ କରିଦେଇଛନ୍ତି ଜାଗୀ ମଙ୍ଗତ ପଣ୍ଡା । ଏପଟେ ପୀଡ଼ିତାଙ୍କ ଓକିଲ କହିଛନ୍ତି-ତାଙ୍କ ବୟାନରେ କିଛି ତଥ୍ୟ କିମ୍ବା ସତ୍ୟ ନାହିଁ ।

ଏସବୁ ଭିତରେ ଘଟଣାର ତଦନ୍ତରେ ବିଳମ୍ବ ହେଉଥିବା ପ୍ରଶ୍ନ ଉପରେ ଆୟୋଗ ଅଧ୍ୟକ୍ଷା କହିଛନ୍ତି-ବିଳମ୍ବରେ ଅଭିଯୋଗ ହେବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ଲକ୍ଡାଉନ୍ ସମୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଓଟିଭି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା । ଏଥିରେ ପୁଲିସ କର୍ମଚାରୀ, ଓଟିଭିର କର୍ମଚାରୀ, ସୁରକ୍ଷା କର୍ମଚାରୀଙ୍କ ସହ ୭ଜଣ ସାମିଲ ଥିବା ଅଭିଯୋଗ ହୋଇଥିଲା ।