ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଲାହୋରରେ ପହଁଚିଲା ଇସଲାମାବାଦ ପୁଲିସ

141

କନକ ବ୍ୟୁରୋ: କୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଓ ତାଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ପୁଲିସ । ଗୋଟେ ପଟେ ଇମ୍ରାନଙ୍କ ଇମ୍ରାନଙ୍କ ବାସଭବନରେ ଇସଲାମାବାଦ ପୁଲିସ ପହଁଚିଥିବା ବେଳେ ଅନ୍ୟପଟେ ଶତାଧିକ ଇମ୍ରାନଙ୍କ ସମର୍ଥକ ଓ ପିଟିଆଇ କର୍ମୀ ପହଁଚି ବିରୋଧ ପ୍ରଦର୍ଶନ କରିଛନ୍ତି । ଲାହୋର ଜମାନ ପାର୍କ ନିକଟରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ସଂର୍ଘଷ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ପୁଲିସ ଉପରକୁ ଇମ୍ରାନଙ୍କ ସମର୍ଥକ ପଥରମାଡ଼ କରିଥିବା ଜଣାପଡିଛି । ଇମ୍ରାନଙ୍କୁ ଗିରଫ କରିବା ପାଇଁ ସୋମବାର ଇସଲାମାବାଦର ପୁଲିସର ଏକ ଟିମ ହେଲିକପ୍ଟର ସାହାଯ୍ୟରେ ଲାହୋର ପହଁଚିଥିଲେ । ତେବେ ଗିରଫ ଭୟରେ ଇମ୍ରାନ ବାସଭବନରୁ କୁଆଡେ ଫେରାର ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ପୁଲିସ ପୁଣି ଥରେ ଇମ୍ରାନଙ୍କ ବାସଭବନରେ ପହଁଚିବାପରେ ତାଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଛି । ତୋଷଖାନା ମାମଲାରେ ଇମ୍ରାନ କୋଟି କୋଟି ଟଙ୍କାର ସରକାରୀ ସମ୍ପତି ବିକ୍ରି କରିଥିବା ଅଭିଯୋଗ ସତ ପ୍ରମାଣିତ ହେବା ପରେ ଇସଲାମାବାଦ କୋର୍ଟ ତାଙ୍କର ଗିରଫ ନିର୍ଦ୍ଦେଶ ଦେଇଛନ୍ତି ।