ବୟସ ଆଗରେ ବିବାହ ନୁହେଁ ବାଧକ, ପ୍ରମାଣ କରିଦେଲେ ବ୍ରାଜିଲର ଏହି ପୂର୍ବତନ ରାଷ୍ଟ୍ରପତି

225

କନକ ବ୍ୟୁରୋ : ବିବାହ ପାଇଁ କେବେ ବୟସ ବାଧକ ସାଜେନାହିଁ । ମନରେ ଉତ୍ସୁକତା ଜାଗ୍ରତ ହେଲେ କୌଣସି ବୟସର ଲୋକ ବି ବିବାହ କରିପାରିବ । ଏଭଳି କିଛି ଦେଖିବାକୁ ମିଳିଛି ବ୍ରାଜିଲରେ । ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଲୁଇଜ ହାଂସିୟୋ ଲୁଲା ଡିସେଲ୍ଭା । ସେ ଏବେ ଜଣେ ୫୫ ବର୍ଷିୟା ମହିଳା ରେସଂଗଲା ସିଲଭାଙ୍କୁ ବିବାହ କରିଛନ୍ତି । ରେସଂଗଲା ବୃତ୍ତିରେ ଜଣେ ସମାଜଶାସ୍ତ୍ରୀ । ଏହି ବିବାହକୁ ନେଇ ଏକ ବଡ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ଡିସେଲଭା ଦମ୍ପତ୍ତିଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । କହିରଖୁ କି ଚଳିତ ବର୍ଷ ଅକ୍ଟୋବର ମାସରେ ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ଲୁଇଜ ହାଂସିୟୋ ଲୁଲା ଡିସେଲ୍ଭା ସବୁଠୁ ଆଗରେ ରହିଛନ୍ତି ।

କୁହାଯାଉଛି କି, ଏହି ବାହାଘର କେଉଁ ସ୍ଥାନରେ ଓ କାହା ସହିତ ହେଉଛି ତାର କିଛି ସୂଚନା ପୂର୍ବରୁ ଦିଆଯାଇ ନଥିଲା । ଏହାର କାରଣ ଭାବେ କୁହାଯାଇଛି କି ବ୍ରାଜିଲର ଏବେକାର ରାଷ୍ଟ୍ରପତି ଜାୟର ବୋଲ୍ସନାରୋଙ୍କ ସମର୍ଥକ ବିରୋଧ କରିବାର ଭୟ ଥିଲା । ହେଲେ ଅଚାନକ ବୁଧବାର ରାତିରେ ଲୁଇଜ ହାଂସିୟୋ ଲୁଲା ଡିସେଲ୍ଭା ନିଜ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ଦେଖିବାକୁ ମିଳିଥିଲା କି ସେ ରେସଂଗଲା ସିଲଭାଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଉଛନ୍ତି ।

କହିରଖୁ କି ଲୁଇଜ ହାଂସିୟୋ ଲୁଲା ଡିସେଲ୍ଭାଙ୍କର ଏହା ତୃତୀୟ ବିବାହ । ଏହା ପୂର୍ବରୁ ତାଙ୍କର ଦୁଇଜଣ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି । ସେ ପ୍ରଥମେ ମାରିୟା ଡି ଲୁଡେସଙ୍କୁ ବିବାହ କରିଥିଲେ । ହେଲେ ବିବାହର ମାତ୍ର ୨ ବର୍ଷ ପରେ ଲୁଡେସଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାସହ ୨୦୧୭ ମସିହାରେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନିଧନ ହୋଇଥିଲା । ଏବେ ଲୁଇଜ ହାଂସିୟୋ ଲୁଲା ଡିସେଲ୍ଭାଙ୍କର ୪ ଟି ପିଲା ରହିଛନ୍ତି ।