ଜୀବନ ସହ ସଂଘର୍ଷ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ, ସହାୟତା କରିବାକୁ ଅପିଲ କଲେ କ୍ରୀଡା ସାମ୍ବାଦିକ ।

284

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟକିପର ଏବେ ଜୀବନଯୁଦ୍ଧରେ ସଂଘର୍ଷ କରୁଛନ୍ତି । ଯେଉଁଠି ଏବେ କ୍ରିକେଟ ଖେଳୁଥିବା ଖେଳାଳୀ କୋଟି କୋଟି ଟଙ୍କା ଅର୍ଥ ଉପାର୍ଜନ କରୁଛନ୍ତି, ବିଳାସମୟ ଜୀବନ କାଟୁଛନ୍ତି । ସେଭଳିସ୍ଥଳେ ପୂର୍ବତନ କ୍ରିକେଟର ବିଜୟ ଯାଦବ ଅର୍ଥ ଅଭାବରୁ ଚିକିତ୍ସିତ ହେବାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ବିଜୟଙ୍କର କିଡନୀ ସମସ୍ୟା ଥିବା ବେଳେ ଏବେ ଡାଇଲିସିସ ଚାଲିଛି । ଯେଉଁଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । କିନ୍ତୁ ଏବେ ବିଜୟଙ୍କ ପାଖେ ଏତେ ଟଙ୍କା ନାହିଁ ଯାହାଫଳରେ ତାଙ୍କର ଭଲଭାବେ ଚିକିତ୍ସା ହୋଇପାରିବ । ଇଏ ସେହି ବିଜୟ ଯାଦବ ଯିଏ ୧୯୯୩ ହିରୋ କପ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶେଷ ଓଭର ସଚିନ ପକାନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ବିଜୟ ଯାଦବଙ୍କର ୨୦୦୬ ମସିହାରେ ଫରିଦାବାଦରେ କାର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ବିଜୟ ଗୁରୁତର ଆହତ ହୋଇଥିଲେ । ସେବେଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ରହୁଥିଲେ ବିଜୟ । ଏପରିକି ଏହି ଦୁର୍ଘଟଣାରେ ସେ ନିଜର ୧୧ ବର୍ଷର ଝିଅକୁ ବି ସବୁଦିନ ପାଇଁ ହରାଇଥିଲେ । ଆଉ ଏହାପରେ ତାଙ୍କର ଦୁଇ ଥର ହୃଦଘାତ ମଧ୍ୟ ହୋଇଛି । ଏସବୁ ଭିତରେ ଏବେ କିଡନୀ ସମ୍ପୂର୍ଣ୍ଣ ରୂପେ ଖରାପ ହେବା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବିଜୟ । କିନ୍ତୁ ଆଗକୁ ଉନ୍ନତ ମାନର ଚିକିତ୍ସା ପାଇଁ ବିଜୟଙ୍କ ପାଖରେ ଅର୍ଥର ଅଭାବ ରହିଛି । ଯେଉଁଥିପାଇଁ କ୍ରୀଡା ସାମ୍ବାଦିକ ବିଜୟ ଲୋକପଲ୍ଲୀ ଏକ ଟ୍ୱିଟ୍ କରି ଆର୍ଥିକ ସହାୟତା କରିବାକୁ ଅପିଲ କରିଛନ୍ତି ।

ବିଜୟ ଯାଦବ ଭାରତ ପାଇଁ ୧୯ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ୧୯୯୧ରେ ହରିୟାଣାକୁ ରଣଜୀ ଚାମ୍ପିୟନ କରିଥିବାରୁ ବେଶ ଚର୍ଚ୍ଚାରେ ଥିଲେ ବିଜୟ । ସେହି ସିଜନରେ ବିଜୟ ୨୪ଟି କ୍ୟାଚ୍ ସହ ୬ଟି ଷ୍ଟମ୍ପି କରିଥିଲେ । ଆଉ ଏହି ପ୍ରଦର୍ଶନ ଆଧାରରେ ୧୯୯୨-୯୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ସିରିଜ୍ ପାଇଁ ବିଜୟଙ୍କୁ ଟିମରେ ଚୟନ କରାଯାଇଥିଲା ।