କନକ ବ୍ୟୁରୋ : କଂଗ୍ରେସରେ ସାମିଲ ହେଲେ ଭାରତୀୟ ହକି ଟିମର ପୂୂୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରବୋଧ ତିର୍କୀ କଂଗ୍ରେସରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ପ୍ରବୋଧ ତିର୍କୀ ।

Advertisment

ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରସନ୍ନ କୁମାର ଚଂପତି ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ସାମିଲ ହେବା ଅବସରରେ ପ୍ରବୋଧ ତିର୍କୀ କହିଛନ୍ତି କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଛନ୍ତି । ଆଗକୁ ଲୋକଙ୍କ ସେବା ଓ ବିକାଶକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ପ୍ରବୋଧ ତିର୍କୀ । ହକି ପଡିଆରେ କମାଲ କରୁଥିବା ପ୍ରବୋଧ ତୀର୍କୀ ଏବେ ରାଜନୈତିକ ମୈଦାନରେ ଭାଗ୍ୟ ପରିକ୍ଷା କରିବାକୁ ଯାଉଛନ୍ତି ।

କଂଗ୍ରେସର ଗଡ଼ ଥିବା ତଳସରା ବିଧାନସଭାକୁ ୨୦୧୯‌ରେ ବିଜେପି ଛଡ଼ାଇ ନେଇଥିଲା। ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା ଡ. ପ୍ରଫୁଲ୍ଲ ମାଝୀ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ । ଏହା ପରେ ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିଲେ । ପ୍ରବୋଧ କଂଗ୍ରେସ ଖୋଜୁଥିବା ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।

ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ । ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ । ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ । ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ । ବାଉଁଶ ବାଡ଼ି ଓ ଗାଁ ଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ ।

ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ । ୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା । ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି ।