କନକ ବ୍ୟୁରୋ : ଆଇପିଏଲ ଓ ଭାରତୀୟ ଟିମ୍ ପାଇଁ କ୍ରିକେଟ ଖେଳିବା ପରେ ଏବେ ଅମ୍ବାତି ରାଇଡୁ ରାଜନୀତିରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ ଖୁବଶୀଘ୍ର ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ଏହାସହ ଆଗାମୀ ନିର୍ବାଚନ ବେଳେ ସେ ଆନ୍ଧ୍ରପ୍ରଦେଶର କୌଣସି ଆସନରୁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିପାରନ୍ତି ।

Advertisment

ରାଇଡୁ ୨୦୨୩ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ତରଫରୁ ଖେଳୁଥିଲେ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଚମ୍ପିଆନ ହେବା ସହ ରାଇଡୁ କ୍ରିକେଟ ସମସ୍ତ ଫର୍ମାଟରୁ ଅବସର ନେଉଥିବା ଘୋଷଣା କରିଥିଲେ । ଆଇପିଏଲ ଶେଷ ହେବା ପରେ ରାଇଡୁ ଗତ ସପ୍ତାହରେ ଦୁଇଥର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଭେଟ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ରାଇଡୁ କୃଷ୍ଣା କିମ୍ବା ଗୁଣ୍ଟୁର ଜିଲ୍ଲାର କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି । ଆମ୍ବାତି ରାଇଡୁଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ୱାଇଏସଆର କଂଗ୍ରେସ ତରଫରୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ହେଲେ ସେ ଲୋକସଭା କି ବିଧାନସଭା ନିର୍ବାଚନ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ଥାଉକି ୩୭ ବର୍ଷିୟ ଅମ୍ବାତି ରାଇଡୁ ଭାରତୀୟ ଟିମ୍ ପାଇଁ ୫୫ଟି ଏକଦିବସୀୟ ଓ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏକଦିବସୀୟ ମ୍ୟାଚରେ ରାଇଡୁ ୩ଟି ଶତକ ସହ ୧୦ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ହେଲେ ଟି-୨୦ ମ୍ୟାଚରେ ରାଇଡୁ ବିଶେଷ ସଫଳତା ପାଇ ନଥିଲେ । ସେ ୬ଟି ମ୍ୟାଚ ଖେଳି ମାତ୍ର ୪୨ ରନ ସଂଗ୍ରହ କରିଥିଲେ ।