ମାଛରେ ମିଳିଲା ବିଷ, ଗ୍ରାହକ ଛାନିଆ । ଫର୍ମାଲିନ୍ ମିଶିବା ଘଟଣାରେ ଆସିଲା ରିପୋର୍ଟ, ପମ୍ଫ୍ରେଟ୍ ମାଛରେ ବିଷାକ୍ତ ରସାୟନ ଥିବା ନେଇ ପ୍ରମାଣ

90

କନକ ବ୍ୟୁରୋ : ଆନ୍ଧ୍ର ମାଛରେ ବିଷ । ଓଡିଶା ବଜାରରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍ ମିଶିଥିବା ନେଇ ରିପୋର୍ଟ ଆସିଛି । ଆଜି ମତ୍ସ୍ୟବିଭାଗ ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ସାମ୍ପୁଲ ସବୁ ସଂଗ୍ରହ କରି ପରୀକ୍ଷା କରିଛନ୍ତି । ଭୁବନେଶ୍ୱର ୪ ନମ୍ବର ମାଛ ହାଟରେ କରିଥିବା ପରୀକ୍ଷାରୁ ମାଛରେ ଫର୍ମାଲିନ୍ ମିଶିଥିବା ସୂଚନା ମିଳିଛି । ତେବେ ଏସବୁ ଭିତରେ ଆନ୍ଧ୍ର ମାଛରେ ଫର୍ମାଲିନ ମିଶିବା ଘଟଣାରେ ଆସାମ ସହ କଥା ହୋଇଛନ୍ତି ରାଜ୍ୟ ସରକାର । ଏ ନେଇ ପ୍ରତି ଜିଲ୍ଲାରେ ଏକ ସ୍ୱତନ୍ତ୍ର ଟିମ ଗଠନ ହେବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ ଓ ପଶୁ ସଂପଦ ବିଭାଗ ସଚିବ ।

fish farmingଆପଣ ନିୟମିତ ଭାବେ ଖାଉଥିବା ମାଛରେ ଏତେ ବଡ ବିଷାକ୍ତ ଦ୍ରବ୍ୟ ଫରମାଲିନ ମିଶିଛି ବୋଲି ବୋଧ ହୁଏ କେବେ ଚିନ୍ତା କରିନଥିବେ । କିନ୍ତୁ ଏହା ସତ ଯେ, ଆପଣଙ୍କ ଖାଇବା ଥାଳିରେ ଥିବା ମାଛରେ ଫରମାଲିନ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶିଥାଇପାରେ । ଏକଥା ଆମେ ଏଥିପାଇଁ କହୁଛୁ କାରଣ, ଗତକାଲି ଆନ୍ଧ୍ର ମାଛରେ ଫରମାଲିନ ମିଶିଥିବା ନେଇ ଆସାମ ସରକାର ଏହା ଉପରେ କଟକଣା ଲଗାଇଥିଲେ । ପରେ ଏନେଇ କନକ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତୁରନ୍ତ ବଜାରକୁ ଆସୁଥିବା ମାଛର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କିଛି ଅଧିକାରୀ ୪ ନମ୍ବର ମାଛ ହାଟରେ ପହଞ୍ଚି କିଛି ମାଛର ନମୂନା ସଂଗ୍ରହ କରିଥିଲେ । ଯାହାର ପରୀକ୍ଷଣ ପରେ ଫରମାଲିନ ଥିବା ସ୍ପଷ୍ଟ ହୋଇଥିଲା । ଏପରିକି ଓଡିଶାକୁ ଆସୁଥିବା ବିଭିନ୍ନ ମାଛ ଗାଡିରୁ ମଧ୍ୟ ମାଛର ନମୂନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷଣ ପାଇଁ ପଠାଯାଇଛି ।

ତେବେ ଯେଉଁ ମାଛରୁ ଫରମାଲିନ ମିଶିଥିବାର ରିପୋର୍ଟ ଆସିଛି ତାହା ଆନ୍ଧ୍ରରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ସବୁ ଜିଲ୍ଳାରେ ମାଛ ବଜାର ଉପରେ ନଜର ରଖିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଫରମାଲଡିହାଇଡ ନାମକ ଏକ ରାସାୟନିକ ଦ୍ରବ୍ୟର ୪୦ ପ୍ରତିଶତ ସଲ୍ୟୁସନରେ ପ୍ରସ୍ତୁତ ହେଉଥିବା ଫରମାଲିନ ସାଧାରଣତଃ ମଣିଷର ମୃତ ଦେହ ସଂରକ୍ଷଣରେ ବ୍ୟବହାର କରାଯାଏ ।

ପୂର୍ବରୁ, ମାଛର ସଂରକ୍ଷଣ ନେଇ ଫରମାଲିନ ବା ଫରମାଲଡିହାଇଡ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ଖବର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ମାଛରେ ଫର୍ମାଲିନ ମିଶିବା ଖବର ପରେ ଗ୍ରାହକଙ୍କ ମନରେ ଛାନିଆ ପଶିଛି । ଫଳରେ ମାଛ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିଛି । କଟକ ଓ ବ୍ରହ୍ମପୁରରେ ମାଛରେ ଫର୍ମାଲିନ୍ ମିଶିବା ଖବର ପରେ ବ୍ୟବସାୟ ଅପେକ୍ଷାକୃତ କମ୍ ରହିଥିବା ଜଣାପଡ଼ିଛି । ଗ୍ରାହକ ଆସୁଛନ୍ତି ହେଲେ କହୁଛନ୍ତି ଆନ୍ଧ୍ର ମାଛ ଦିଅନ୍ତୁ ନାହିଁ । ଫଳରେ ବ୍ୟବସାୟ ମାନ୍ଦା ରହିଛି । ସେହିପରି ଆନ୍ଧ୍ର ମାଛ ସପ୍ତାହରେ ୪ ଥର ଗଞ୍ଜାମ ଜିଲ୍ଲାକୁ ଆସୁଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟବସାୟୀ ଏହି ମାଛକୁ ନିର୍ଭର କରନ୍ତି । ଥରକେ ୧୫ ଟନ ମାଛ ଏଠାକୁ ଆସେ । କିନ୍ତୁ ଗତ କିଛି ଦିନ ହେବ ଆନ୍ଧ୍ରରୁ ମାଛ ଆସିବା ମଧ୍ୟ କମ୍ ହୋଇଛି ।