ସାରା ଓଡ଼ିଶାରେ ଜଳୁଛି ଜଙ୍ଗଲ : ୨୦୦ ଟପିଲା ବଡ଼ ଧରଣର ଜଙ୍ଗଲ ନିଆଁ; ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

93

କନକ ବ୍ୟୁରୋ : ମାଡ଼ି ଚାଲିଛି ଜଙ୍ଗଲ ନିଆଁ । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ବନଖଣ୍ଡ ନିଆଁର ଆଁ ଭିତରକୁ ପ୍ରବେଶ କରୁଛି । ୨୦୨ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ଚିହ୍ନଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷାୁ କୁହାଯାଇଛି । ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ କେବେ ବି ବଡ଼ ଧରଣର ବନାଗ୍ନି ସଂଖ୍ୟା ୨୦୦ ଛୁଇଁନଥିଲା । ଏବେ ରାଜ୍ୟର ୧୭ ଶହରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି ।

କୋରାପୁଟ, ବ୍ରହ୍ମପୁର, ସମ୍ବଲପୁର, ସର୍କଲ ଚିନ୍ତାଜନକ ହୋଇଛି । ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ସଚେତନତା ଲାଗି ବିଭିନ୍ନ ବର୍ଗକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି । ବନାଗ୍ନି କ୍ଷେତ୍ରରେ ଖଳ ପ୍ରକୃତିର ବ୍ୟକ୍ତି ସାମିଲ ରହୁଥିବା ନଜରକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ବନାଗ୍ନିକୁ ରୋକିବା ପାଇଁ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ବ୍ୟାପକ କରାଯିବ । ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ବନାଗ୍ନି ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଓ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ କର୍ମୀମାନଙ୍କୁ ସାମିଲ କରାଯିବ ।

ଜଙ୍ଗଲରେ ନିଆଁ ଲଗାଉଥିବା ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ମାସ ପର୍ଯ୍ୟନ୍ତ ବନାଗ୍ନି ଭୟ ରହିଥିବାରୁ ଅନୁଧ୍ୟାନ ପ୍ରକ୍ରିୟାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।