କେନ୍ଦୁପତ୍ର ତୋଳାଳିଙ୍କ ଅନୁକମ୍ପା ଟଙ୍କା ହଡପ କରି ନିଲମ୍ବିତ ହେଲେ ଫରେଷ୍ଟର ଓ ରେଞ୍ଜର , ଅଫିସ ଖର୍ଚ୍ଚ କହି ନେଇଥିଲେ ଟଙ୍କା

266

କନକ ବ୍ୟୁରୋ: କେନ୍ଦୁପତ୍ର ତୋଳାଳୀଙ୍କ ଅନୁକମ୍ପା ଟଙ୍କା ହଡପ କରି ନିଲମ୍ବିତ ହେଲେ ଫରେଷ୍ଟର ଓ ରେଞ୍ଜର । ସହାୟତା ଅର୍ଥ ଶୋଷଣ କରିବା ଅଭିଯୋଗ ପରେ ୨୪ ଘଂଟା ମଧ୍ୟରେ ସଂପୃକ୍ତ ଥିବା ଫରେଷ୍ଟଗାର୍ଡ ଏବଂ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦୁଲିଫ୍ ଜୟପୁର ଡିଭିଜନର ଡିଏଫ୍ଓ । ଏନେଇ ବିଧିବଦ୍ଧ ଅଭିଯୋଗ ହୋଇଥିବା ଘଟଣାର ପ୍ରାଥମିକ ତଦନ୍ତ କରି ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା କେନ୍ଦୁଲିଫ୍ ସେକସନର କାର୍ଯ୍ୟରତ ମହିଳା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକଙ୍କୁ ପ୍ରଥମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସେହିପରି କର୍ମଚାରୀଙ୍କ ଏପରି କାର୍ଯକୁ ବିଭାଗୀୟ ଅଧିକାରୀ କିପରି ଜାଣିପାରିନଥିଲେ ସେ ନେଇ କୈଫତ କରି ସଂପୃକ୍ତ ବାଲିମେଳା ଭାରପ୍ରାପ୍ତ ରେଞ୍ଜର ଦୁର୍ଗାପ୍ରସାଦ ନାୟକଙ୍କୁ ମଧ୍ୟ ଅନୁରୂପ ଭାବେ ନିଲମ୍ବିତ କରିଛନ୍ତି ଡିଏଫ୍ଓ । ଖଇରପୁଟ ବ୍ଲକର ବିଭିନ୍ନ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପରିବାରଙ୍କୁ ଯୋଗାଇ ଦିଆଯାଇଥିଲା । ଏହି ସହାୟତାରୁ ୮ ଜଣଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏଁ ଅଫିସ ଖର୍ଚ୍ଚ ବାବଦରେ ସଂପୃକ୍ତ କର୍ମଚାରି ଆଦାୟ କରିଥିବା ଅଭିଯୋଗ ହୋଇଛି ।