ଜଙ୍ଗଲରେ ନିଆଁ, ସହର ସାରା ଧୂଆଁ । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ଜଙ୍ଗଲ ବିଭାଗ. ଜରୁରୀ କାମ ନଥିଲେ ଛୁଟି ନେଇପାରିବେନି ବନ କର୍ମଚାରୀ ।

86
କନକ ବ୍ୟୁରୋ: ସମ୍ବଲପୁର ସହରରେ କିିଛି ଦିନ ହେଲା ଜଙ୍ଗଲରୁ ନିଆଁ ଲିଭିବା ନାଁ ନେଉନଥିବା ବେଳେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛି ବନ ବିଭାଗ । ଏପଟେ ଦିନବେଳେ ଧୂଆଁମୟ ହେଉଛି ସହର ।
ଜଙ୍ଗଲରେ ଲାଗିଛି ନିଆଁ, ସହରରେ ଖାଲି ଧୂଆଁ ଆଉ ଧୂଆଁ । ଇଏ ହେଉଛି ସମ୍ବଲପୁର ସହରର ଦୃଶ୍ୟ । ସମ୍ବଲପୁର ସହର ମଝିରେ ଥିବା ପାନ୍ଥନିବାସ କଢ ପାହାଡରେ ନିଆଁ ଲାଗିଛି । କେହି ଦୁର୍ବୃତ ନିଆଁ ଲଗାଇ ଦେଇଥିବା ବେଳେ ବନ କର୍ମଚାରୀ ସେହି ନିଆଁକୁ ଆୟତ କରିଛନ୍ତି । କିନ୍ତୁ ସହରର ଧୂଆଁମୟ ପରିବେଶକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ଲୋକେ ଭୟଭିତ ନହେବାକୁ କହିବା ସହ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ବନ ବିଭାଗ । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି ଡିଏଫଓ ସଂଜିତ କୁମାର ।
ସମ୍ବଲପୁର ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ଗୃହରେ ଜିଲ୍ଲାପାଳ, ପିସିସିଏଫ ଓ ଡିଏଫଓ, ମୁଖ୍ୟ ଶାସନ ସଚିବଙ୍କ ସହ ଜଙ୍ଗଲ ନିଆଁ ବାବଦରେ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଡିଏଫଓ । କହିଛନ୍ତି, ନିଆଁ ଲିଭା କାମକୁ ତ୍ୱରାନ୍ୱିତ କରାଯିବ । ପଂଚାୟତିରାଜ ବିଭାଗର କର୍ମଚାରୀ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରିବେ । ଅତିଜରୁରୀ ନହେଲେ ଛୁଟି ନେଇ ପାରିବେ ନାହିଁ ବନ ବିଭାଗର କୌଣସି କର୍ମଚାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଏଭଳି କିଛି ନିର୍ଦେଶନାମା ଜାରି କରିଛି ବନ ବିଭାଗ । ନିଆଁ ଦାଉରୁ ଜଙ୍ଗଲକୁ ବଂଚାଇବାକୁ ହେଲେ ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ନିହାତି ଆବଶ୍ୟକ । ଆସନ୍ତୁ ସମସ୍ତେ ଏକାଠି ହେବା । ନିଆଁ ଆଁରୁ ଜଙ୍ଗଲକୁ ରକ୍ଷା କରିବା ।