କରୋନା ମହାମାରୀ ବେଳେ ବି ଦେଶରେ ବଢିଛି ବିଦେଶୀ ମୁଦ୍ରାଭଣ୍ଡାର । ଚଳିତ ବର୍ଷ ବଢିଛି ୧୧୯ ବିଲିୟନ ଡଲାର । ବୈଦେଶିକ ଋଣ ପରିମାଣକୁ ଟପିଲା ଏହି ବିଦେଶୀ ମୁଦ୍ରାଭଣ୍ଡାର

62

କନକ ବ୍ୟୁରୋ : ଯେତେବେଳେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି, ଏହାର ପ୍ରଭାବରେ ଭାରତରେ ଅର୍ଥନୈତିକ ସ୍ଥିତି ମନ୍ଦାବସ୍ଥା ଦେଇ ଗତି କରୁଛି ତାହାରି ଭିତରେ ଏକ ଭଲ ଖବର ଆସିଛି । ଗତବର୍ଷ ତୁଳନାରେ ଭାରତରେ ବିଦେଶୀ ମୁଦ୍ରାଭଣ୍ଡାର ୧୧୯ ବିଲିୟନ ଡଲାର ବୃଦ୍ଧି ପାଇଁ ୫୯୦ ବିଲିୟନ ଆମେରିକାନ ଡଲାରରେ ପହଂଚିଛି ।

ଅନ୍ୟପଟେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଆମେରିକାନ ଡଲାର ଥିବା ବେଳେ ଏହାକୁ ଅତିକ୍ରମ କରିଛି ଦେଶର ବିଦେଶୀ ମୁଦ୍ରାଭଣ୍ଡାର । ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର୍ । ସେ କହିଛନ୍ତି କି ଭାରତ ବର୍ତ୍ତମାନ ନେଟ୍ କ୍ରେଡିଟର ଭାବେ ଉଭା ହୋଇଛି । ଏହାର ଅର୍ଥ ହେଉଛି ଦେଶର ମୋଟ ବୈଦେଶିକ ଋଣ ପରିମାଣ ଠାରୁ ବିଦେଶୀ ମୁଦ୍ରାଭଣ୍ଡାର ଉର୍ଚ୍ଚା ହେବା । ଯାହାକି ଭାରତର ଉତ୍ତମ ଆର୍ଥିକ ସ୍ଥିତି ଓ ବ୍ୟବସ୍ଥାକୁ ସୂଚାଉଛି ବୋଲି ସେ କହିଛନ୍ତି । ସେହିଭଳି ଯେତେବେଳେ ଗୋଟିଏ ଦେଶର ମୋଟ ବୈଦେଶିକ ଋଣ ପରିମାଣ ଠାରୁ ସେହି ଦେଶର ବିଦେଶୀ ମୁଦ୍ରାଭଣ୍ଡାରର ପରିମାଣ କମ ହୋଇଥାଏ ସେହି ଦେଶକୁ ନେଟ୍ ଡେବିଟର୍ ଭାବେ ଗଣନା କରାଯାଇଥାଏ । ଶ୍ରୀ ଠାକୁର୍ କହିଥିଲେ କି ଭାରତ ଏଭଳି ସଫଳତା ପାଇବା ପଛରେ ଦେଶରେ ସ୍ୱଚ୍ଛ ଶାସନ ଓ ନିୟମାବଳୀର କଡାକଡି ପାଳନ ହେଉଛି ମୁଖ୍ୟ କାରଣ । ଏହାସହ ସେ କହିଥିଲେ କି ବିଗତ ୪ ମାସ ମଧ୍ୟରେ ଯେଭଳି ଭାବେ ଜିଏସଟି ଆଦାୟ ବୃଦ୍ଧି ପାଇଛି ତାହାକୁ ନଜର କଲେ ଅନୁମାନ କରାଯାଉଛି କି ଦୃତଗତିରେ ଦେଶର ଅର୍ଥନୀତି ର ସୁଧାର ଆସୁଛି ।