ବିଜେପି ନେତାଙ୍କୁ ଗିରଫ ଘଟଣା: ୩ ରାଜ୍ୟର ପୁଲିସଙ୍କ ମଧ୍ୟରେ ଛକାପଞ୍ଝା

185

କନକ ବ୍ୟୁରୋ: ବିଜେପି ନେତା ତେଜିନ୍ଦର ପାଲ ସିଂ ବଗାଙ୍କ ଗିରଫ ଘଟଣାକୁ ନେଇ କମ୍ପୁଛି ପଂଜାବ,ହରିଆଣା ଦିଲ୍ଲୀ । ଶୁକ୍ରବାର ସକାଳୁ ବିଜେପି ନେତାଙ୍କ ଦିଲ୍ଲୀସ୍ଥିତ ଘରେ ପଶି ପଂଜାବ ପୁଲିସ ବଳପୂର୍ବକ ତାଙ୍କୁ ଉଠାଇ ଆଣୁଥିବା ସମୟରେ କୁରୁକ୍ଷେତ୍ରରେ ହରିଆଣା ପୁଲିସ ସହ ମୁହାଁମୁହିଁ ହୋଇଛି । ବଗାଙ୍କୁ ସଡକପଥରେ ମୋହାଲି ନେଇ ଯାଉଥିବାବେଳେ ହରିଆଣା ପୁଲିସ ପଂଜାବ ପୁଲିସ ହାତରୁ ବଗାଙ୍କୁ ଆଣି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛି । ତେଜିନ୍ଦରଙ୍କୁ କୋର୍ଟରେ ହାଜର ନକରି ପଂଜାବ ନିଆଯାଉଥିବାରୁ ଦିଲ୍ଲୀ ପୁଲିସ ଅପହରଣ ମାମଲା ରୁଜୁ କରିଥିଲା ଓ ତାଙ୍କୁ ଫେରାଇ ଆଣିବାକୁ ହରିଆଣା ପୁଲିସକୁ ନିର୍ଦ୍ଦେଶ ଦେଇଥିଲା ।

ବିଜେପି ନେତା ତଜିନ୍ଦର ପାଲ ସିଂ ବଗାଙ୍କୁ ପଂଜାବ ପୁଲିସ ଗିରଫ କରିବା ପରେ ରାଜନୀତି ଜୋର ଧରିଛି । ବିଜେପି ଏହି ଗିରଫଦାରୀକୁ ରାଜନୀତି ଧର୍ମ ସହ ଯୋଡି ପଂଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଦାୟୀ କରିିଛି । ଘଟଣାକୁ ନେଇ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ବଗାଙ୍କ ପରିବାର । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଓ ଆପ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ବିଜେପି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ବିବାଦୀୟ ବୟାନ, ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ବୟାନ, ଧାର୍ମିକ ହିଂସା ଉସକାଇବା ପାଇଁ ବୟାନ ଓ ସୋସିଆଲ ମିଡିଆରେ ମିଛ କଥା ପ୍ରଚାର ଅଭିଯୋଗରେ ପଂଜାବ ସାଇବର ସେଲ ତଜିନ୍ଦରଙ୍କ ନାଁରେ ମାମଲା ରୁଜୁ କରିଥିଲା ମୋହାଲି ପୁଲିସ । ପୂର୍ବରୁ ନୋଟିସ ଦିଆଯିବା ସତ୍ୱେ ଥାନାରେ ହାଜର ହୋଇନଥିଲେ ବିଜେପି ନେତା ଓ ଆଜି ସକାଳୁ ପଂଜାବ ପୁଲିସ ଦିଲ୍ଲୀରେ ପହଁଚି ଗିରଫ କରିଥିଲା