ଫିକ୍ସ ଡିପୋଜିଟ ପାଇଁ ପୁଅ କରିଦେଲା ପର । ମାଆଙ୍କୁ ଘରି ତଡିଦେଲେ ଦୁଇ ପୁଅ ।

343

କନକ ବ୍ୟୁରୋ: ପୁତ ନାମକ ନର୍କରୁ ଉଦ୍ଧାର ପାଇଁ ବାପା ମାଆ ପୁଅ ଜନ୍ମ କରିଥିଲେ । ମଲାବେଳେ ଜନ୍ମକଲା ପୁଅ ପାଣିଟିକେ ଦେବ, କାନ୍ଧରେ କାନେ୍ଧଇ ମଶାଣିକି ନେବ । ଖାଲି ଏତିକି ନୁହେଁ ମୁହଁରେ ନିଆଁ ଟିକେ ଦେବ । ହେଲେ, ସେହି ପୁଅ ନିଜ ସ୍ୱାର୍ଥ ପାଇଁ ଆଜି ମାଆଙ୍କୁ ମାଡ ମାରି ଘରୁ ବାହାର କରିଦେଇଛି । ନିଜ ନାରେ ଥିବା ଫିକ୍ସ ଡିପୋଜିଟ ଟଙ୍କା ଉଠାଇବାକୁ ରାଜି ନହେବାରୁ ୨ ପୁଅ ବୋହୁ ୭୨ ବର୍ଷୀୟା ମାଆଙ୍କୁ ମାଡମାରି ଘରୁ ବାହାର କରିଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଦକ୍ଷିଣପଡା ଗାଁର ବାସନ୍ତୀ ପାତ୍ର । ବୟସ ଆସି ୭୨ ହେଲାଣି । ୨ ପୁଅ ଆଉ ଗୋଟିଏ ଝିଅ ସହ ତାଙ୍କ ପରିବାର ହସଖୁସିରେ ଚାଲିଥିଲା । ସମସ୍ତଙ୍କୁ ବାହା ଦେଇ ଖୁସିରେ ଚଳୁଥିଲେ ବାସନ୍ତୀ । ଆଜିକୁ ୬ ବର୍ଷ ତଳେ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କ ଦେହାନ୍ତ ପରେ ଦୁଇ ପୁଅଙ୍କ ପାଖରେ ରହିଆସୁଥିଲେ । ତେବେ ସ୍ୱାମୀ ଚାଲିଯିବା ଆଗରୁ ଖଇରପଦା ଗ୍ରାମ୍ୟବ୍ୟାଙ୍କରେ ବାସନ୍ତୀଙ୍କ ନାଁରେ ୨ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ କରିଥିଲେ । ତେବେ ଗତ କିଛି ଦିନ ତଳେ ଦୁଇ ପୁଅ ଏହି ଡିପୋଜିଟକୁ ନିଜ ଭିତରେ ବାଣ୍ଟିବାକୁ ମାଆକୁ ବାଧ୍ୟ କରିଥିଲେ । ଆଉ ବାସନ୍ତୀ ଯେତେବେଳ ଏଥିରେ ରାଜି ହେଲେନାହିଁ ତାଙ୍କ ଉପରେ ସମସ୍ତେ ଅତ୍ୟାଚାର ଆରମ୍ଭ କରିଦେଲେ ।

ଜନ୍ମକଲା ପୁଅଙ୍କ ଏଭଳି ହଇରାଣ କରିବା ପରେ ପୋଲିସର ଦ୍ୱାରସ୍ତ ହୋଇଥିଲେ ବାସନ୍ତୀ । ପୋଲିସ ଡାକି ବୁଝାଇବା ପରେ ଶାନ୍ତ ପଡିଥିଲେ ସମସ୍ତେ । ତେବେ ହଠାତ୍ ଗତ ୧୯ ତାରିଖ ରାତିରେ ପୁଅବୋହୁ ଅତ୍ୟାଚାର କରିବା ସହ ଟଙ୍କା ନେବାକୁ ଅଡିବସିଲେ । ଟଙ୍କା ନଦେଲେ ଖାଇବାକୁ ନଦେବା ସହ ମାରିଦେବାକୁ ବି ଧମକ ଦେଲେ । ଏତିକିରେ ବି ମନବୁଝିଲାନିଯେ ଘରୁ ବାହାର କରିଦେଲେ । ଅସହାୟ ଅବସ୍ଥାରେ ଗାଁ ଶିବମନ୍ଦିରର ଆଶ୍ରଣ ନେଇ ପରେ ତାଙ୍କ ଝିଅ ସହୟତାରେ ଉପଜିଲ୍ଲାପାଳଙ୍କ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ କହିଛନ୍ତି ବାସନ୍ତୀ ।ସାମାନ୍ୟ କେଇଟା ଟଙ୍କା ପାଇଁ ମାଆଙ୍କୁ ମାଡ ମାରି ଘରୁବାହାର କରିଛନ୍ତି ଏହି ହୀନ ପୁଅ । ଯେଉଁ ମା ଦିନେ କଷ୍ଟ ପାଇ ଜନ୍ମ କରିଥିଲା, ପାଳିପୋଷି ମଣିଷ କରିଥିଲା ତାକୁ ଆଜି ପଚାରୁନାହାନ୍ତି ଏହି ପୁଅ । ଝିଅ ସାହାର୍ଯ୍ୟରେ ନ୍ୟାୟ ମାଗୁଥିବା ବାସନ୍ତିଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା।