ଲିଭୁନି ପୁରୀ ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ: ୨୧ ଘଣ୍ଟା ହେଲା ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ୍

117

କନକ ବ୍ୟୁରୋ: ୨୧ ଘଂଟା ହେଲା ଜଳୁଛି ମାର୍କେଟ କଂପ୍ଲେକ୍ସ । ନିଅାଁ ଲିଭାଇବା ପାଇଁ ନାକଦେମ ହେଲାଣି ଅଗ୍ନିଶମ ବିଭାଗ । ଗତକାଲି ଠାରୁ ଏତେ ଉଦ୍ୟମ ପରେ ବି ନିଅାଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇପାରୁନାହିଁ । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ମାର୍କେଟ୍ କଂପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ୧୦୦ରୁ ଅଧିକ ଦମକଳ କର୍ମଚାରୀ ଓ ୧୨ଟି ଦମକଳ ଗାଡ଼ି, ଓଡ୍ରାଫ ଟିମ୍ ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ଆୟତ ହେଉନି ନିଆଁ । ମାର୍କେଟ କଂପ୍ଲେକ୍ସ ସାମ୍ନା ପଟ ଦୋକାନ ସଟର ପଡ଼ିଥିବାରୁ ଭିତରେ ଜଳୁଛି ସାମଗ୍ରୀ । ସେପଟେ ସମ୍ରାଟ ମାର୍କେଟ କଂପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ଖୁସିର କଥା ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । କେଂପ୍ଲେକ୍ସ ଭିତରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି କଂପ୍ଲେକ୍ସରେ ୪୩ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ସେମାନଙ୍କ ଥଇଥାନ ନେଇ ସରକାର ଚିନ୍ତା କରୁଛନ୍ତି । ଆଗେ ଧନ ଜୀବନକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ । ପ୍ରଥମ ମହଲାରେ ନିଆଁ ସାମାନ୍ୟ କମିବା ପରେ ନିଜ ସାମଗ୍ରୀ ଆଣିଛନ୍ତି ପର୍ଯ୍ୟଟକ । ସ୍କୁଟି, ବ୍ୟାଗ ଧରି ବାହାରକୁ ଆଣିଲେ ଲୋକେ । ୧୫ ଲକ୍ଷ ସୁନା ଓ ୨ ଲକ୍ଷ ଟଙ୍କା ଫେରିପାଇଲେ ବ୍ରତଘର ପାଇଁ ଆସିଥିବା ବ୍ରହ୍ମପୁରର ପରିବାର । ବ୍ରହ୍ମପୁରରୁ ଆସି ଏଠାରେ ରହିଥିଲେ । ହଠାତ ଅଗ୍ନିକାଣ୍ଡ ପାଇଁ ଜିନିଷ ପତ୍ର ଛାଡ଼ି ବାହାରକୁ ଚାଲି ଆସିଥିଲେ । ନିଆଁ ପ୍ରଥମ ମହଲାରୁ କମିବା ପରେ ସମସ୍ତ ଜିନିଷ ଫେରି ପାଇଛନ୍ତି ପର୍ଯ୍ୟଟକ ।