କେନ୍ଦ୍ରକୁ କାଉଂଟର କରିବ ଓଡିଶା : ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ଆଇନ୍ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

40

କନକ ବ୍ୟୁରୋ : କେନ୍ଦ୍ରକୁ କାଉଂଟର କରିବ ଓଡିଶା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରକୁ ମାତ ଦେବା ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ଆଇନ୍ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ବିଚାର ବିମର୍ଷ କରାଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ୨୦୧୧ ଜନଗଣନା ଅନୁସାରେ ଓଡିଶାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଅଛନ୍ତି । କିନ୍ତୁ ୨୦୧୮ ମସିହା ସୁଦ୍ଧା ରାଜ୍ୟରେ ୮ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି । ଯାହା ଫଳରେ ୩୨ ଲକ୍ଷ ହିତାଧିକାରୀ ଅଧିକ ହୋଇଛନ୍ତି । ପୂର୍ବରୁ ଏହି ୩୨ ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଗତ ମେ ମାସରେ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉନଥିବାରୁ ରାଜ୍ୟ ସରକାର ନୂଆ ଢାଂଚାରେ କିଛି ପଦକ୍ଷେପ ନେବା ପାଇଁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି , କେନ୍ଦ୍ର ସରକାର ଆଇନ ଅନୁଯାୟୀ ଚାଉଳ ଦେବା ପାଇଁ ବାଧ୍ୟ । ରାଜ୍ୟ ସରକାର ଚିଠି ଲେଖିଲେ ମଧ୍ୟ ଯଦି କେନ୍ଦ୍ର ସରକାର ଚାଉଳ ଦେଉନାହାନ୍ତି ତେବେ ଏଥିପାଇଁ କେନ୍ଦ୍ର ଦାୟୀ । ଏହାସହ ଯଦି ରାଜ୍ୟ ସରକାର ଚିଠି ଲେଖୁନାହାନ୍ତି ଓ କହୁଛନ୍ତି କେନ୍ଦ୍ର ଦେଉନାହିଁ ଆମେ ନୂଆ ଯୋଜନା କରିବୁ, ତେବେ ଏହା କେବଳ ଆଗାମୀ ରାଜନୀତି ପାଇଁ ଉଦ୍ଦିଷ୍ଟ । ସେପଟେ ବଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଠିକ ଭାବରେ ଆବଂଟନ କରିପାରୁ ନାହାନ୍ତି । ଧନୀ ଲୋକଙ୍କୁ ଚାଉଳ ଦେବା ସହ ତାଙ୍କ ଦଳ ଲୋକଙ୍କ ମଧ୍ୟରେ ବାଂଟି ଦେଉଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଦଳ ଏକ ନୂଆ ଚାଲବାଜି ଖେଳୁଛି ବୋଲି ସେ ପ୍ରକାଶ କରିଛନ୍ତି ।