ଧନୀ ଦେଶରେ ଖାଦ୍ୟ ସଙ୍କଟ । ପାଖରେ ଅଛି କୋଟି କୋଟି ଟଙ୍କା କିନ୍ତୁ ଖାଇବାକୁ କିଛି ନାହିଁ, ବସ୍ତାଏ ଟଙ୍କା ଦେଲେ ବି ମିଳୁନି ପେଟପୁରା ଖାଦ୍ୟ ।

42

ଧନୀ ଦେଶରେ ଆଜି ଖାଦ୍ୟ ସଙ୍କଟ । ଏହି ଦେଶରେ ଲୋକେ କୋଟିପତି ହୋଇ ମଧ୍ୟ ଖାଦ୍ୟ ନ ପାଇ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ବସ୍ତା ଭର୍ତ୍ତି ଟଙ୍କା ଦେଲେ ବି ପେଟପୁରା ମିଳୁନି ଖାଦ୍ୟ । ଲୋକେ ଖାଦ୍ୟ ପାଇଁ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । ଦିନକୁ ଦିନ ଏହି ଦେଶର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପରି ଏକ ଦେଶ ହେଉଛି ଭେନେଜୁଏଲା ।

ଏହା ଏମିତି ଏକ ଧନୀ ଦେଶ, ଯେଉଁଠି ଲୋକମାନେ କସମେଟିକ୍ସ (ସୈାନ୍ଦର୍ୟ୍ୟ ବର୍ଦ୍ଧକ ସାମଗ୍ରୀ) ଉପରେ ବିଶ୍ୱରେ ସବୁଠାରୁ ଅଧିକ ଖର୍ଚ୍ଚ କରନ୍ତି । ଏହା ବିଶ୍ୱର ସବୁଠାରୁ ବଡ ତେଲ ଉତ୍ପାଦକ ଦେଶ ମଧ୍ୟରୁ ଅନ୍ୟତମ । ଏଠି ପେଟ୍ରୋଲ ୫୦ ପଇସା ପ୍ରତି ଲିଟର ଅଛି । ଆଜି ସେଇ ଦେଶ ଏମିତି ପରିସ୍ଥିତିରେ ଅଛି ଯେ, ବସ୍ତା ଭର୍ତ୍ତି କରି ଟଙ୍କା ନେଲେ ସୁଦ୍ଧା ପେଟ ପୁରା ଗଣ୍ଡେ ଖାଇବାକୁ ମିଳୁନି । ଲୋକ ଖାଇବା ପାଇଁ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି ।

ଏଠି ସ୍ଥିତି ଏମିତି ଅଛି ଯେ, ପଶୁଙ୍କୁ ମାରି ତାଙ୍କର ମାଂସ ନିଜ ଘରକୁ ନେଇଯାଉଛନ୍ତି । ଦୋକାନ ଓ ସାର୍ବଜନିକ ସ୍ଥାନରୁ ଜିନିଷ ଲୁଟ୍ କରୁଛନ୍ତି । ପ୍ରତିଦିନ ବିରୋଧ ପ୍ରଦର୍ଶନ ହେଉଛି ଓ ଲୋକଙ୍କ ମୃତ୍ୟୁ ହେଉଛି । ଏହି ଦେଶରେ କୋଟିପତି ଲୋକ ଖାଇବା ପାଇଁ ବିକଳ ହୋଇଯାଉଛନ୍ତି । ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଛାଡି, ଲଗାତାର ନୋଟ୍ ଛାପୁଛନ୍ତି । ଯଦ୍ୱାରା ସଂକଟ ଆହୁରି ଗମ୍ଭୀର ହେବାର ସମ୍ଭାବନା ଅଛି ।

ସଂକଟର କାରଣ କ’ଣ ?

ଗତ ୫ବର୍ଷରେ ଏହି ଦେଶର ଅର୍ଥନୀତି ୫୦% ଠାରୁ ଅଧିକ ସଙ୍କୁଚିତ ହୋଇଯାଇଛି । ମୋଟ୍ ରପ୍ତାନୀରେ ୯୬% ତେଲ ଅଛି । ଆମେରିକା ଓ ଅନ୍ୟ ଦେଶ ଗୁଡିକର ପ୍ରତିବନ୍ଧକ ଫଳରେ ସମସ୍ତ ଦେଶ ଭେନେଜୁଏଲା ଠାରୁ ତେଲ ଆଣିବା ବନ୍ଦ କରିଦେଇଛନ୍ତି । ସେଥିପାଇଁ ତାଙ୍କର ଅର୍ଥନୀତି ପୁରା ଶୋଇପଡିଛି । ତେଲର ବିକ୍ରି କମିଯାଇଛି ।

ଭେନେଜୁଏଲାର ମୁଦ୍ରା ହେଉଛି ବୋଲିୱର । ଗୋଟିଏ ଡଲାରର ମୂଲ୍ୟ ୩୫ ଲକ୍ଷ ବୋଲିୱର ସହ ସମାନ । ଏହି ଦେଶ ତୁର୍କୀର ସହାୟତାରେ ଆର୍ଥିକ ସଂକଟ ଠାରୁ ବାହାରିବାର ରାସ୍ତା ଖୋଜୁଛି । ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିବନ୍ଧକ କାରଣରୁ ସ୍ୱଜରଲାଣ୍ଡ ପରିବର୍ତ୍ତେ ତୁର୍କୀକୁ ନିଜର ସୁନା ରପ୍ତାନୀ କରୁଛି । ଭେନେଜୁଏଲା ୨୦୧୮ ବର୍ଷରେ ୭୭୯ ମିଲିୟନ ସୁନା ତୁର୍କୀକୁ ରପ୍ତାନୀ କରିଛି ।