ଲଗାତାର ଦ୍ୱିତୀୟ ଦିନ ଲାଗି କୁହୁଡି ବଳୟରେ ଟ୍ୱିନି ସିଟି: ଘନ କୁହୁଡିରେ କଟକ ଓ ଭୁବନେଶ୍ୱରରେ ସକାଳୁ ସକାଳୁ ଜୀବନଯାତ୍ରା ପ୍ରଭାବିତ

ଦୂର ଦୂରକୁ ଦେଖାଯାଉନି ରାସ୍ତା, କୋଣାର୍କ ଓ ଅସ୍ତରଙ୍ଗରେ ବି କୁହୁଡିର ଚାଦର

71

କନକ ବ୍ୟୁରୋ: ଲାଗାତାର ଦ୍ୱିତୀୟ ଦିନ ଲାଗି କୁହୁଡି ବଳୟରେ ଟ୍ୱିନି-ସିଟି । ଆଜି ରବିବାର ଦିନ ମଧ୍ୟ ଟ୍ୱିନି ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି ।  ଫଳରେ ସକାଳୁ ସାଧାରଣ ଜୀବନ ଯାତ୍ରା ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।  ବାହାରକୁ ବାହାରିଲେ ଖାଲି କୁହୁଡି ଆଉ କୁହୁଡି । ଆଜି ରବିବାର ତେଣୁ ଆପଣ ଯଦି ଏବେ ବାହାରକୁ ବାହାରୁଛନ୍ତି ତାହା ହେଲେ ଟିକେ ସତର୍କ ହୋଇ ଘରୁ ବାହାରନ୍ତୁ ।

ଚଳିତ ବର୍ଷ ଶୀତ ଦିନରେ ଏଭଳି କୁହୁଡି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଆଜି ସକାଳୁ ଦୈତନଗରୀ ସମ୍ପୂର୍ଣ୍ଣ ଧଳା ଆସ୍ତରଣରେ ଘୋଡେଇ ହୋଇ ରହିଛି । ଘନ କୁହୁଡିର ବଳୟ ଭିତରେ ରହିଛି କଟକ ଓ ଭୁବନେଶ୍ୱର ।  ଅତି ପାଖରୁ  ଲୋକ ଓ ଗାଡିକୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି ।

ସେହିଭଳି ଅସ୍ତରଙ୍ଗରେ ମଧ୍ୟ ସକାଳୁ ସକାଳୁ ଘନକୁହୁଡି ଦେଖିବାକୁ ମିଳିଛି । ଟିପି ଟିପି କୁହୁଡି ବର୍ଷାରେ  ମାଟି ଭିଜିଯାଇଛି । କୁହୁଡି ଯୋଗୁଁ ଲୋକେ ଦିନରେ ଲାଇଟ ଲଗାଇ ଗାଡି ଚଳାଉଛନ୍ତି । ସମୁଦ୍ର ଉପରେ ବି କୁହୁଡିର ଚାଦର ଦେଖିବାକୁ ମିଳିଛି । ୨୦ ମିଟର ଦୂରରୁ ସମୁଦ୍ରକୁ ଦେଖିହେଉନି ।

ସେପଟେ ଘନ କୁହୁଡିରେ ହଜିଯାଇଛି କୋଣାର୍କ । ସକାଳୁ ସକାଳୁ କୁହୁଡିର ବହଳ ଆସ୍ତରଣରେ କୋଣାର୍କ ମନ୍ଦିର ଦେଖା ଯାଉନାହିଁ । ଘନ କୁହୁଡି ଯୋଗୁଁ ଆଜି ସକାଳେ ୫ ଫୁଟ ଦୂରରୁ ଆଗକୁ କିଛି ଦେଖାଯାଉ ନାହିଁ । ଆଉ କୁହୁଡିରେ କୋଣାର୍କ ବୁଲିବାର ମଜା ନେଇଛନ୍ତି ପର୍ଯ୍ୟଟକ । ସେପଟେ ପୁରୀରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଛି । ଶୀତୁଆ ସକାଳ ଓ ଘନ କୁହୁଡିରେ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଜମିଛି ।